୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ହେବ ବୃହତ୍ ଯୁବ ସଂଳାପ | ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରତିଭା ଚିହ୍ନଟ ଉପରେ ଗୁରୁତ୍ୱ
ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ଅଗଷ୍ଟ ୨୭ରେ ଦେଶର ଯୁବ କ୍ରୀଡ଼ାବିତ୍ ଓ ଯୁବ ନେତାମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଖେଲ କି ବାତ୍, ପ୍ରଧାନମନ୍ତ୍ରୀ ମୋଦୀ କେ ସାଥ୍’ ନାମରେ ଦେଶବ୍ୟାପୀ ଏହି ବୃହତ୍ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଦେଶର ୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ଏକକାଳୀନ ଭାବେ କାର୍ଯ୍ୟକ୍ରମ ହେବ। IIT, IIM, NIT, AIIMS ସମେତ ପ୍ରମୁଖ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଏଥିରେ ସାମିଲ ହେବେ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ଅଭିଭାଷଣ ପରେ ସମସ୍ତ ଅଂଶଗ୍ରହଣକାରୀ ସ୍ଥାନରେ ସ୍ଥାନୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଆଲୋଚନାରେ ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି, ଉନ୍ନତ କୋଚିଂ ଓ ଖେଳାଳିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ରହିବ। ଏହା ସହ ୨୦୩୬ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ପଦ୍ଧତିରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ଖେଳାଳିଙ୍କ ବିକାଶ ନେଇ ଆଲୋଚନା ହେବ।
ଯୁବ ନେତୃତ୍ୱ, ଶାସନ ବ୍ୟବସ୍ଥାରେ ଯୁବଙ୍କ ଅଂଶଗ୍ରହଣ, ଭବିଷ୍ୟତମୁଖୀ ଦକ୍ଷତା, ସ୍ୱେଚ୍ଛାସେବା ଓ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ମଧ୍ୟ ଆଲୋଚନାର ପ୍ରମୁଖ ବିଷୟ ରହିବ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେବ ପ୍ରମୁଖ ଭାରତୀୟ କ୍ରୀଡ଼ାବିତ୍ ଓ ପଦକ ବିଜେତାଙ୍କ ସହ ଯୁବମାନଙ୍କ ଆଲୋଚନା। ଦୀପା କର୍ମାକର, ସାଇନା ନେହୱାଲ, ଗଗନ ନାରଙ୍ଗ, ଶ୍ରୀଜେଶ, ମେରି କମ୍, ବାଇଚୁଙ୍ଗ ଭୂତିଆ, ପୁଲେଲା ଗୋପୀଚାନ୍ଦ, ଅଞ୍ଜୁ ବବି ଜର୍ଜ, କର୍ଣ୍ଣମ ମଲ୍ଲେଶ୍ୱରୀ, ମୀରାବାଇ ଚାନୁ ଓ ପି.ଟି. ଉଷାଙ୍କ ଭଳି କ୍ରୀଡ଼ାବିତ୍ମାନେ ନିଜ ଅନୁଭୂତି ଓ ସଂଘର୍ଷର କାହାଣୀ ଯୁବମାନଙ୍କ ସହ ବାଣ୍ଟିବେ। ପ୍ରମୁଖ କ୍ରିକେଟରମାନେ ମଧ୍ୟ ଏଥିରେ ଯୋଗଦେବେ।
ସେହିପରି ସାଂସଦ, ବିଧାୟକ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନେ ଯୁବମାନଙ୍କ ସହ ଆଲୋଚନା କରି ସେମାନଙ୍କ ପରାମର୍ଶ ଓ ମତାମତ ନେବେ।
କାର୍ଯ୍ୟକ୍ରମରେ ‘ବିକଶିତ ଭାରତ ଯୁବ ନେତା ସଂଳାପ କୁଇଜ୍’ ମଧ୍ୟ ଆୟୋଜିତ ହେବ। ଅଗଷ୍ଟ ୨୭ ପରେ ମଧ୍ୟ ଯୁବମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ରଖିବା ଲକ୍ଷ୍ୟରେ MY Bharat Portalରେ ପଞ୍ଜୀକରଣ ପାଇଁ ଉତ୍ସାହିତ କରାଯିବ।
ଯୁବ ଆକାଂକ୍ଷା, କ୍ରୀଡ଼ା ଅନୁଭୂତି ଓ ନୀତି ନିର୍ମାଣକୁ ଗୋଟିଏ ମଞ୍ଚରେ ଆଣିବା ସହ ଭାରତର ଭବିଷ୍ୟତ କ୍ରୀଡ଼ା ବ୍ୟବସ୍ଥା ଓ ଯୁବ ବିକାଶରେ ଯୁବପିଢ଼ିଙ୍କ ଭୂମିକା ବଢ଼ାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।
