Home Nationalହର୍ମୁଜ୍‌ରେ ଜାହାଜ ଚଳାଚଳ ମାନ୍ଦା: ୧୦ ଦିନର ହାର ତୁଳନାରେ ଅଧାରୁ କମ୍ ଟ୍ରାନ୍‌ଜିଟ୍‌

ହର୍ମୁଜ୍‌ରେ ଜାହାଜ ଚଳାଚଳ ମାନ୍ଦା: ୧୦ ଦିନର ହାର ତୁଳନାରେ ଅଧାରୁ କମ୍ ଟ୍ରାନ୍‌ଜିଟ୍‌

by Akshay Maharana
0 comments

ମଧ୍ୟପ୍ରାଚ୍ୟର ପ୍ରମୁଖ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଦେଇ ଜାହାଜ ଚଳାଚଳ ଏବେ ବି ସ୍ୱାଭାବିକ ହୋଇନାହିଁ। ମଙ୍ଗଳବାର ମାତ୍ର ୫ଟି କମୋଡିଟି ଜାହାଜ ଏହି ଜଳପଥ ଅତିକ୍ରମ କରିଛି। ପ୍ରାଥମିକ ସିପିଂ ତଥ୍ୟ ଅନୁଯାୟୀ, ଏହା ପୂର୍ବଦିନ ତୁଳନାରେ ସାମାନ୍ୟ ଅଧିକ ହେଲେ ମଧ୍ୟ ୧୦ ଦିନର ହାରାହାରି ୧୫ଟି ଜାହାଜ ତୁଳନାରେ ଯଥେଷ୍ଟ କମ୍।

ଶିପ୍‌ଟ୍ରାକର୍ Kplerର ପ୍ରାଥମିକ ତଥ୍ୟ ଅନୁଯାୟୀ, ଦୁଇଟି LPG ବୋଝେଇ ଟ୍ୟାଙ୍କର୍ ଏବଂ ଗୋଟିଏ ବିଟୁମେନ୍ ବୋଝେଇ ଟ୍ୟାଙ୍କର୍ ହର୍ମୁଜ୍‌ ଦେଇ ଗଲ୍ଫରୁ ବାହାରିଛି। ଏହା ସହ ଦୁଇଟି ଖାଲି ପ୍ରଡକ୍ଟ ଟ୍ୟାଙ୍କର୍ ଓମାନ୍ ଗଲ୍ଫରୁ ହର୍ମୁଜ୍‌ ଦେଇ ପ୍ରବେଶ କରିଛି। ସୋମବାର ଏହି ଜଳପଥ ଦେଇ ୪ଟି କମୋଡିଟି ଜାହାଜ ଯାତାୟାତ କରିଥିଲା।

ତେବେ ଜାହାଜଗୁଡ଼ିକ ଯାତ୍ରା ସମୟରେ ଲୋକେସନ୍ ଟ୍ରାନ୍ସପଣ୍ଡର୍ ବନ୍ଦ କରିଦେଉଥିବାରୁ ଏହି ସଂଖ୍ୟା ପରେ ପରିବର୍ତ୍ତନ ହୋଇପାରେ।

ମଧ୍ୟପ୍ରାଚ୍ୟର ଅନ୍ୟ ଏକ ପ୍ରମୁଖ ସାମୁଦ୍ରିକ ଚୋକ୍‌ପଏଣ୍ଟ ବାବ୍ ଏଲ୍-ମାନ୍ଦେବ୍‌ରେ ମଧ୍ୟ ଜାହାଜ ଚଳାଚଳ ପ୍ରାୟ ସ୍ଥିର ରହିଛି। Kpler ତଥ୍ୟ ଅନୁଯାୟୀ, ମଙ୍ଗଳବାର ୩୧ଟି କମୋଡିଟି ଜାହାଜ ଏହି ପଥ ଦେଇ ଯାଇଥିବା ବେଳେ ପୂର୍ବଦିନ ଏହି ସଂଖ୍ୟା ୨୯ ଥିଲା। ଏହା ୧୦ ଦିନର ହାରାହାରି ସହ ପ୍ରାୟ ସମାନ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଢ଼ୁଥିବା ଆର୍ଥିକ ଚାପ ମଧ୍ୟରେ ଇରାନ୍‌ ଓ ଓମାନ୍‌ ହର୍ମୁଜ୍‌ ପ୍ରଣାଳୀର ପରିଚାଳନା ନେଇ ପୁଣି ଆଲୋଚନା ଆରମ୍ଭ କରିଛନ୍ତି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଏକ ଅସ୍ଥାୟୀ ମିଳିତ ଶିପିଂ କରିଡର୍‌ ସୃଷ୍ଟି କରିବା ନେଇ ବିଚାର କରାଯାଇଥିବା ସହ ଜଳପଥରୁ ମାଇନ୍‌ ହଟାଇବା ପାଇଁ ମଧ୍ୟ ସହମତି ହୋଇଛି।

ତେବେ ଏହି ଆଲୋଚନାର ଅର୍ଥ ତୁରନ୍ତ ତେଲ ପରିବହନ ସ୍ୱାଭାବିକ ହୋଇଯିବା ନୁହେଁ ବୋଲି ING Economics ପକ୍ଷରୁ କୁହାଯାଇଛି। ଇରାନ୍‌ର ବନ୍ଦରଗୁଡ଼ିକ ଉପରେ ଆମେରିକାର ଅବରୋଧ ହଟିବା ଏବଂ ଇରାନ୍‌ ଉପରେ ଲାଗିଥିବା କଟକଣା କୋହଳ ହେବା ପରେ ହିଁ ହର୍ମୁଜ୍‌ ଦେଇ ତେଲ ପରିବହନ ସ୍ୱାଭାବିକ ହେବାର ସମ୍ଭାବନା ରହିଛି।

ହର୍ମୁଜ୍‌ ପ୍ରଣାଳୀ ଦେଇ ବିଶ୍ୱର ଅତ୍ୟଧିକ ପରିମାଣର ତୈଳ ଓ ଗ୍ୟାସ୍‌ ପରିବହନ ହେଉଥିବାରୁ ଏଠାରେ ଜାହାଜ ଚଳାଚଳ ହ୍ରାସ ପାଇବା ବିଶ୍ୱ ଉର୍ଜା ବଜାର ଓ ଯୋଗାଣ ଶୃଙ୍ଖଳା ଉପରେ ଚାପ ବଢ଼ାଇପାରେ।

You may also like

Leave a Comment