ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଗତ କିଛି ମାସ ଧରି ଲଗାତାର ହ୍ରାସ ପାଉଥିବା ସତ୍ତ୍ୱେ ଦେଶରେ ପେଟ୍ରୋଲ ଓ ଡିଜେଲ ଖୁଚୁରା ଦରରେ କୌଣସି ପରିବର୍ତ୍ତନ ନ ହେବା ନେଇ ଚର୍ଚ୍ଚା ବଢ଼ିଛି। ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନର ଅଶୋଧିତ ତୈଳ ମୂଲ୍ୟ ଅନୁଯାୟୀ ସରକାରୀ ତୈଳ ବିପଣନ କମ୍ପାନିଗୁଡ଼ିକ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲରେ ଉଲ୍ଲେଖନୀୟ ମାର୍ଜିନ୍ ପାଉଛନ୍ତି, କିନ୍ତୁ ସେହି ଲାଭର ପ୍ରତିଫଳନ ସାଧାରଣ ଉପଭୋକ୍ତାଙ୍କୁ ମିଳୁନାହିଁ।
ସମ୍ପ୍ରତି ଭାରତୀୟ ବାସ୍କେଟ୍ର ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପ୍ରାୟ ୬୮.୬୯ ଡଲାର ସ୍ତରକୁ ଖସିଆସିଛି, ଯାହା ଗତ କିଛି ମାସର ସର୍ବନିମ୍ନ ସ୍ତର ମଧ୍ୟରୁ ଗୋଟିଏ। ବିଶ୍ଳେଷକମାନଙ୍କ ମତରେ, ଏହି ଦରରେ ତୈଳ ବିପଣନ କମ୍ପାନିଗୁଡ଼ିକ ପେଟ୍ରୋଲରେ ପ୍ରତି ଲିଟର ପିଛା ପ୍ରାୟ ୧୦.୫୦ ଟଙ୍କା ଏବଂ ଡିଜେଲରେ ୧୧ ଟଙ୍କା ପର୍ଯ୍ୟନ୍ତ ମାର୍ଜିନ୍ ହାସଲ କରୁଥିବା ଆକଳନ କରାଯାଉଛି।
ବଜାର ବିଶ୍ଳେଷଣ ଅନୁସାରେ, ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୮୭ ଡଲାର ତଳେ ରହିଲେ ତୈଳ କମ୍ପାନିଗୁଡ଼ିକର ମୂଳ ବ୍ୟୟ ସନ୍ତୁଳିତ ରହିଥାଏ। ଏହାଠାରୁ କମ୍ ଦରରେ ସେମାନଙ୍କର ଲାଭ ବୃଦ୍ଧି ପାଇଥାଏ। ଗତ କିଛି ସପ୍ତାହ ଧରି ଅଶୋଧିତ ତୈଳ ଦର ଏହି ସୀମା ତଳେ ରହିଥିଲେ ମଧ୍ୟ ଖୁଚୁରା ଇନ୍ଧନ ମୂଲ୍ୟରେ କୌଣସି ହ୍ରାସ ଘୋଷଣା କରାଯାଇନାହିଁ।
ଗତ କିଛି ବର୍ଷର ତଥ୍ୟ ଦେଖିଲେ ମଧ୍ୟ ଏହି ପ୍ରବୃତ୍ତି ସ୍ପଷ୍ଟ ହେଉଛି। ୨୦୧୮ରେ ଅଶୋଧିତ ତୈଳ ଦର ପ୍ରାୟ ୮୦ ଡଲାର ଥିବାବେଳେ ଦିଲ୍ଲୀରେ ପେଟ୍ରୋଲ ଦର ପ୍ରାୟ ୭୨ ଟଙ୍କା ଥିଲା। ପରେ ୨୦୨୦ରେ ତୈଳ ଦର ୪୩ ଡଲାର ପର୍ଯ୍ୟନ୍ତ ଖସିଥିଲେ ମଧ୍ୟ ଖୁଚୁରା ଦରରେ ସେହି ଅନୁପାତରେ ହ୍ରାସ ଦେଖିବାକୁ ମିଳିନଥିଲା। ଅନ୍ୟପଟେ ୨୦୨୨ରେ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବଢ଼ିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିଥିଲା।
ତୈଳ କମ୍ପାନିମାନେ ପୂର୍ବରୁ କହିଆସୁଛନ୍ତି ଯେ, ପୂର୍ବର କ୍ଷତି ପୂରଣ ଏବଂ ବଜାର ସ୍ଥିରତାକୁ ଦୃଷ୍ଟିରେ ରଖି ଦର ନିର୍ଦ୍ଧାରଣ କରାଯାଏ। କିନ୍ତୁ ଆର୍ଥିକ ରିପୋର୍ଟରୁ ଜଣାପଡ଼ୁଛି ଯେ, ଦେଶର ପ୍ରମୁଖ ତୈଳ କମ୍ପାନିଗୁଡ଼ିକର ଲାଭ ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ବୃଦ୍ଧି ପାଇଛି।
ଏଭଳି ପରିସ୍ଥିତିରେ ଅଶୋଧିତ ତୈଳ ଦର ହ୍ରାସର ଲାଭ କେବେ ସାଧାରଣ ଉପଭୋକ୍ତାଙ୍କ ପାଖକୁ ପହଞ୍ଚିବ, ସେନେଇ ପ୍ରଶ୍ନ ଉଠୁଛି। ଉପଭୋକ୍ତା ମହଲର ଆଶା, ଆନ୍ତର୍ଜାତୀୟ ବଜାରର ଦର ଅନୁସାରେ ଖୁଚୁରା ଇନ୍ଧନ ମୂଲ୍ୟରେ ମଧ୍ୟ ଯଥୋଚିତ ସଂଶୋଧନ କରାଯିବ।
