ପଞ୍ଚମ କିସ୍ତିରେ ମିଳିଲା ୫ ହଜାର; ନୂଆ ୨.୨୧ ଲକ୍ଷ ହିତାଧିକାରୀ ସାମିଲ, ବଞ୍ଚିତଙ୍କୁ ଏକାଥରକେ ମିଳିଲା ୨୫ ହଜାର, ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ମହିଳାଙ୍କ ପାଇଁ ବଡ଼ ଉପହାର। ରାଜ୍ୟ ସରକାର ଶୁକ୍ରବାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବାବଦରେ ୫,୧୬୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ୧.୦୩ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିଛି।
ନୟାଗଡ଼ ଜିଲ୍ଲା ଲଠିପଡ଼ାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥରାଶି ବଣ୍ଟନର ଶୁଭାରମ୍ଭ କରିଥିଲେ।
ଏଥରର କିସ୍ତିରେ ଯୋଜନାରେ ୨,୨୧,୦୫୪ ଜଣ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି। ପୂର୍ବରୁ ବାଦ ପଡ଼ିଥିବା କିନ୍ତୁ ପରବର୍ତ୍ତୀ ସମୟରେ ଯୋଗ୍ୟ ବିବେଚିତ ମହିଳାଙ୍କୁ ମଧ୍ୟ ସମସ୍ତ ବକେୟା କିସ୍ତି ଏକାଥରକେ ପ୍ରଦାନ କରାଯାଇଛି।
ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର କୌଣସି କିସ୍ତି ପାଇନଥିଲେ, ନୂଆ ଯୋଗ୍ୟ ହିତାଧିକାରୀଙ୍କ ସମେତ ସେମାନଙ୍କୁ ସମସ୍ତ ୫ଟି କିସ୍ତିର ୨୫ ହଜାର ଟଙ୍କା ଏକାଥରକେ ମିଳିଛି।
୨୦୨୪ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଦିଆଯାଉଛି। ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମିଳୁଛି—ଗୋଟିଏ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏବଂ ଅନ୍ୟଟି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ।
ଯୋଜନା ଅନୁସାରେ, ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ମିଳିବ। ମହିଳାଙ୍କ ଆର୍ଥିକ ସଶକ୍ତୀକରଣ, ସ୍ୱାବଲମ୍ବନ ଓ ଆର୍ଥିକ ସମାବେଶକୁ ବଢ଼ାଇବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ସୁଭଦ୍ରା ଟଙ୍କା ବଣ୍ଟନ ସମୟରେ ହିତାଧିକାରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବା ସହ ନିର୍ଦ୍ଧାରିତ ସମୟରେ DBT ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ସମ୍ବିତ ପାତ୍ର ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
ରାକ୍ଷୀ ପୂର୍ଣ୍ଣିମାରେ ୧.୦୩ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ୫,୧୬୦ କୋଟି ଟଙ୍କା ହସ୍ତାନ୍ତର ସହ ସୁଭଦ୍ରା ଯୋଜନା ମହିଳାଙ୍କ ଆର୍ଥିକ ସଶକ୍ତୀକରଣରେ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଭାବେ ଆଗକୁ ବଢ଼ିଛି।
