ଓଡ଼ିଶାରୁ ଉଦ୍ଧାର ୫ ଓରାଙ୍ଗଉଟାନ୍କୁ ନେଇ ଇଣ୍ଡୋନେସିଆର ତତ୍ପରତା, DNA ପରୀକ୍ଷା ପରେ ହେବ ସ୍ପଷ୍ଟତା
ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ନେଇ ଏବେ ଚର୍ଚ୍ଚା ତୀବ୍ର ହୋଇଛି। ଏହି ଶାବକମାନଙ୍କୁ ନିଜ ଦେଶକୁ ଫେରାଇ ନେବା ନେଇ ଇଣ୍ଡୋନେସିଆ ପକ୍ଷରୁ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ବିଚିତ୍ରପୁର ଜଙ୍ଗଲରୁ ଏହି ଓରାଙ୍ଗଉଟାନ୍ ଶାବକମାନଙ୍କୁ ଉଦ୍ଧାର କରାଯାଇଥିବା ଘଟଣାକୁ ଇଣ୍ଡୋନେସିଆ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଶାବକମାନଙ୍କ ଉତ୍ସ, ପ୍ରଜାତି ଓ ସେମାନଙ୍କ ଭାରତ ଆସିବାର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଛି।
ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତରେ ମିଳିଥିବା ୫ ଓରାଙ୍ଗଉଟାନ୍ଙ୍କ ମାମଲାରେ ଅନୁସନ୍ଧାନ ଜାରି ରହିଛି। ସେମାନଙ୍କ ଯତ୍ନ ନେବା ସହ ମୂଳ ଉତ୍ସ ଯାଞ୍ଚ କରାଯାଉଛି। ଆବଶ୍ୟକ ଅନୁମତି ଓ ଆନ୍ତର୍ଜାତିକ ପ୍ରକ୍ରିୟା ପୂରଣ ପରେ ସେମାନଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ଦିଗରେ ପଦକ୍ଷେପ ନିଆଯିବ।
ସୁମାତ୍ରା ପ୍ରଜାତି ହୋଇଥିବା ଆଶଙ୍କା
ପ୍ରାରମ୍ଭିକ ଶାରୀରିକ ଲକ୍ଷଣ ଓ ଆକୃତିକୁ ଆଧାର କରି ଶାବକମାନେ ସୁମାତ୍ରାର ଓରାଙ୍ଗଉଟାନ୍ ହୋଇଥାଇପାରନ୍ତି ବୋଲି ପ୍ରାଥମିକ ଅନୁମାନ କରାଯାଇଛି। ତେବେ ଏହା ଏବେବି ନିଶ୍ଚିତ ନୁହେଁ।
ଶାବକମାନଙ୍କ ପ୍ରଜାତି ଓ ଜେନେଟିକ୍ ପରିଚୟ ସମ୍ପର୍କରେ ଅନ୍ତିମ ନିଷ୍କର୍ଷ ପାଇଁ DNA ପରୀକ୍ଷା କରାଯିବ। ଜେନେଟିକ୍ ରିପୋର୍ଟ ମିଳିବା ପରେ ହିଁ ସେମାନେ କେଉଁ ଅଞ୍ଚଳର ଓରାଙ୍ଗଉଟାନ୍ ଏବଂ ସେମାନଙ୍କ ଉତ୍ସ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ।
ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ
ଶାବକମାନଙ୍କୁ ନେଇ ତଦନ୍ତ ଏବଂ ଆଗାମୀ ପଦକ୍ଷେପ ପାଇଁ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି।
ଏଥିରେ ଭାରତର CITES Management Authority, ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ, BRIN ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସାମିଲ ଅଛନ୍ତି। ଶାବକମାନଙ୍କ ସୁରକ୍ଷା, ପରିଚୟ ନିର୍ଣ୍ଣୟ ଓ ସେମାନଙ୍କୁ ନିଜ ଦେଶକୁ ପଠାଇବା ସମ୍ପର୍କିତ ପ୍ରକ୍ରିୟା ଏହି ସମନ୍ୱୟ ମାଧ୍ୟମରେ ଆଗକୁ ବଢ଼ିବ।
ଏବେ ସମସ୍ତଙ୍କ ନଜର DNA ପରୀକ୍ଷା ରିପୋର୍ଟ ଉପରେ। ରିପୋର୍ଟ ଆସିବା ପରେ ୫ ଓରାଙ୍ଗଉଟାନ୍ ଶାବକଙ୍କ ପ୍ରକୃତ ପରିଚୟ ଓ ସେମାନଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ନେଇ ପରବର୍ତ୍ତୀ ପଦକ୍ଷେପ ଅଧିକ ସ୍ପଷ୍ଟ ହେବ।
