Home Featuredବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଆଶଙ୍କା, ୨୩ରୁ ୨୫ ମଧ୍ୟରେ ଉପକୂଳରେ ପ୍ରଭାବ

ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଆଶଙ୍କା, ୨୩ରୁ ୨୫ ମଧ୍ୟରେ ଉପକୂଳରେ ପ୍ରଭାବ

by Sunita Jena
0 comments

ବଙ୍ଗୋପସାଗରରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂଆ ପାଣିପାଗ ପ୍ରଣାଳୀ ଗଠନ ହେବାର ସଙ୍କେତ ମିଳୁଛି। ଏହା ପରବର୍ତ୍ତୀ ସମୟରେ ଲଘୁଚାପ ଏବଂ ଅବପାତର ରୂପ ନେଇ ଶକ୍ତିଶାଳୀ ହେବାର ସମ୍ଭାବନା ନେଇ ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍‌ ଆକଳନ କରୁଛନ୍ତି। ତେବେ ଏହାର ତୀବ୍ରତା, ଗତିପଥ ଏବଂ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେନେଇ ଏବେଠାରୁ ନିଶ୍ଚିତ ଚିତ୍ର ମିଳିନାହିଁ।

ଆମେରିକାର GFS ଏବଂ ୟୁରୋପୀୟ ECMWF ମଡେଲ୍‌ରେ ସେପ୍ଟେମ୍ବର ୧୮-୨୦ ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଏକ ପାଣିପାଗ ପ୍ରଣାଳୀ ବିକଶିତ ହେବାର ସଙ୍କେତ ଦେଖାଯାଉଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ୧୯ରୁ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛି। ବିଶେଷଜ୍ଞଙ୍କ ମତରେ, ସମୁଦ୍ରପୃଷ୍ଠର ତାପମାତ୍ରା ଅଧିକ ରହିବା ଏବଂ ବାୟୁମଣ୍ଡଳର ବିଭିନ୍ନ ସ୍ତରରେ ପବନର ଗତିରେ ଅଧିକ ତାରତମ୍ୟ ନଥିବା ପରିସ୍ଥିତି ପାଣିପାଗ ପ୍ରଣାଳୀକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇପାରେ। ମୌସୁମୀ ବାୟୁ ଧୀରେଧୀରେ ଉତ୍ତର-ପଶ୍ଚିମ ଭାରତରୁ ଫେରିବା ପର୍ଯ୍ୟାୟରେ ଥିବାରୁ ପାଣିପାଗରେ ପରିବର୍ତ୍ତନର ସମ୍ଭାବନା ମଧ୍ୟ ରହିଛି।

GFS ମଡେଲ୍‌ର ଆକଳନ ଅନୁସାରେ, ଦକ୍ଷିଣ ଚୀନ ସାଗର ଅଞ୍ଚଳରୁ ଆସୁଥିବା ଏକ ପ୍ରଣାଳୀର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଗଠନ ହୋଇପାରେ। ପରେ ଏହା ଅଧିକ ସଂଗଠିତ ହେଲେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପୂର୍ବ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। କିଛି ମଡେଲ୍‌ର ଦୀର୍ଘମିଆଦୀ ଆକଳନରେ ୨୩ରୁ ୨୫ ତାରିଖ ମଧ୍ୟରେ ଉତ୍ତର ଆନ୍ଧ୍ର, ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳରେ ପ୍ରଣାଳୀର ପ୍ରଭାବ ପଡ଼ିବାର ସମ୍ଭାବନା ଦେଖାଯାଉଛି। କିନ୍ତୁ ଏହାକୁ ଏବେଠାରୁ ନିଶ୍ଚିତ ବାତ୍ୟା ବୋଲି କହିବା କିମ୍ବା ସ୍ଥଳଭାଗ ଛୁଇଁବାର ନିର୍ଦ୍ଦିଷ୍ଟ ସ୍ଥାନ ଘୋଷଣା କରିବା ଠିକ୍‌ ହେବ ନାହିଁ। ପରବର୍ତ୍ତୀ ମଡେଲ୍‌ ଅପଡେଟ୍‌ରେ ଏହାର ଗତିପଥ ଓ ତୀବ୍ରତା ବଦଳିପାରେ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ସେପ୍ଟେମ୍ବର ୨୦ରୁ ୨୨ ମଧ୍ୟରେ ବଙ୍ଗୋପସାଗରରେ ନୂଆ ପ୍ରଣାଳୀ ଗଠନର ସଙ୍କେତ ମିଳୁଛି। ପ୍ରଥମେ ଏହା ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଭାବେ ବିକଶିତ ହୋଇ ପରେ ଅବପାତର ରୂପ ନେଇପାରେ। ପ୍ରଣାଳୀ ଅଧିକ ଶକ୍ତିଶାଳୀ ହେଲେ ୨୩ରୁ ୨୭ ତାରିଖ ମଧ୍ୟରେ ଉତ୍ତର ଆନ୍ଧ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କ ମତରେ, ପରିବେଶ ଅନୁକୂଳ ରହିଲେ ଲଘୁଚାପଟି ସ୍ଥଳଭାଗ ଛୁଇଁବା ପୂର୍ବରୁ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ତେବେ ପ୍ରଣାଳୀର ପ୍ରକୃତ ଚିତ୍ର ସେପ୍ଟେମ୍ବର ୨୦ ତାରିଖ ପରେ ଅଧିକ ସ୍ପଷ୍ଟ ହେବ ବୋଲି ସେ ମତ ଦେଇଛନ୍ତି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଆସନ୍ତା ୧୯ ତାରିଖ ବେଳକୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ହୋଇପାରେ। ଏହାର ପ୍ରଭାବରେ ପଶ୍ଚିମ ଭାରତରେ ବର୍ଷା କମିପାରେ, କିନ୍ତୁ ପୂର୍ବ ଓ ଦକ୍ଷିଣ ଭାରତରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଓଡ଼ିଶାରେ ମଧ୍ୟ ଆଗାମୀ ଦିନଗୁଡ଼ିକରେ ବର୍ଷାର ପ୍ରଭାବ ବଢ଼ିପାରେ। ୧୮ ତାରିଖଠାରୁ ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷାର ସମ୍ଭାବନା ରହିଛି। ପରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ବଢ଼ିପାରେ।

କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ୨୦ ତାରିଖ ବେଳକୁ ଭାରୀ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନଜରରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକୁ ପ୍ରସ୍ତୁତ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

You may also like

Leave a Comment