ଭୁବନେଶ୍ୱର: ରାଜ୍ୟରେ ତିନିବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ।
ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ୩୦ ଜୁଲାଇ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଫର୍ମ ପୂରଣ କରିହେବ। ପ୍ରଥମ ମେଧା ତାଲିକା ୬ ଅଗଷ୍ଟରେ ପ୍ରକାଶ ପାଇବ।
ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ପ୍ରାର୍ଥୀମାନେ ୬ରୁ ୧୧ ଅଗଷ୍ଟ ଅପରାହ୍ନ ପର୍ଯ୍ୟନ୍ତ ସ୍ଲାଇଡ୍ କିମ୍ବା ଫ୍ରିଜ୍ ବିକଳ୍ପ ବାଛିପାରିବେ। ୭ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ।
ଦ୍ୱିତୀୟ ମେଧା ତାଲିକା ୧୭ ଅଗଷ୍ଟରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।
ଏହାସହ ତିନିବର୍ଷିଆ ଏଲଏଲବି ପ୍ରଥମ ବର୍ଷର ପାଠପଢ଼ା ୨୧ ଅଗଷ୍ଟରୁ ଆରମ୍ଭ ହେବ।
ସୂଚନାଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୪ଟି ଶିକ୍ଷାନୁଷ୍ଠାନରେ ମୋଟ ୩୯୦ଟି ସିଟ୍ ଉପଲବ୍ଧ ରହିଛି।
