Home Featuredରାସ୍ତା ନଥିବାରୁ ଅଟକିଛି ମୋବାଇଲ ଟାୱାର: ରାୟଗଡ଼ାର ଅନେକ ଦୁର୍ଗମ ଗାଁରେ ଡିଜିଟାଲ ସଂଯୋଗ ବାଧାପ୍ରାପ୍ତ

ରାସ୍ତା ନଥିବାରୁ ଅଟକିଛି ମୋବାଇଲ ଟାୱାର: ରାୟଗଡ଼ାର ଅନେକ ଦୁର୍ଗମ ଗାଁରେ ଡିଜିଟାଲ ସଂଯୋଗ ବାଧାପ୍ରାପ୍ତ

by Sunita Jena
0 comments

ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି (DBN) ଅଧୀନରେ ମୋବାଇଲ ଟାୱାର ସ୍ଥାପନ ପ୍ରକଳ୍ପ ଚାଲିଛି। ହେଲେ ଆବଶ୍ୟକ ଯାତାୟାତ ରାସ୍ତା ନଥିବାରୁ ରାୟଗଡ଼ା ଜିଲ୍ଲାର ଅନେକ ସ୍ଥାନରେ ଏହି ପ୍ରକଳ୍ପ ଆଗେଇ ପାରୁନଥିବା ଜଣାପଡ଼ିଛି।ଟାୱାର ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି, ନିର୍ମାଣ ସାମଗ୍ରୀ ଓ BTS ଉପକରଣ ଦୁର୍ଗମ ସ୍ଥାନକୁ ନେବାରେ ରାସ୍ତା ଅଭାବ ମୁଖ୍ୟ ବାଧା ସାଜିଛି। ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଏନେଇ କେନ୍ଦ୍ରୀୟ ଟେଲିକମ ବିଭାଗକୁ ଅବଗତ କରିବା ପରେ ଏହି ସମସ୍ୟା ଉପରେ ସରକାରୀ ସ୍ତରରେ ତତ୍ପରତା ବଢ଼ିଛି।

ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଏଭଳି ଅନେକ ଗାଁ ରହିଛି, ଯେଉଁଠାରେ ମୋବାଇଲ ଟାୱାର ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ରାସ୍ତା ଅଭାବରୁ କାମ ଆରମ୍ଭ କରିବା ସମ୍ଭବ ହୋଇନାହିଁ। ମୁନିଗୁଡ଼ା ବ୍ଲକର କିଛି ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ମୁନିଗୁଡ଼ାକୁ ନୀତି ଆୟୋଗର ଆକାଂକ୍ଷୀ ବ୍ଲକ ଭାବେ ଚିହ୍ନଟ କରାଯାଇଥିବାରୁ ଏଠାରେ ଡିଜିଟାଲ ସଂଯୋଗର ଅଭାବ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି।ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ରାସ୍ତାର ବର୍ତ୍ତମାନ ସ୍ଥିତି ଯାଞ୍ଚ କରି ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ଯେଉଁ ସ୍ଥାନକୁ ରାସ୍ତା ନିର୍ମାଣ କରି ଯୋଗାଯୋଗ ସୁବିଧା ସୁନିଶ୍ଚିତ କରାଯାଇପାରିବ, ସେଠାରେ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ରାଜ୍ୟକୁ ରାସ୍ତାର ସ୍ଥିତି ନେଇ ସ୍ପଷ୍ଟ ତଥ୍ୟ ମାଗାଯାଇଛି। କେଉଁ ସ୍ଥାନରେ ରାସ୍ତା ନିର୍ମାଣ ସମ୍ଭବ ଏବଂ କେଉଁ ସ୍ଥାନରେ ଏହା ସମ୍ଭବ ନୁହେଁ, ତାହା ଚିହ୍ନଟ କରିବାକୁ କୁହାଯାଇଛି। ଯେଉଁ ସ୍ଥାନରେ ତୁରନ୍ତ ରାସ୍ତା ଯୋଗାଯୋଗ କରାଯାଇପାରିବ ନାହିଁ, ସେଠାରେ ଟାୱାର ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରଖାଯାଇପାରେ। ପରେ ରାସ୍ତା ସୁବିଧା ହେଲେ ଟାୱାର ସ୍ଥାପନ କରାଯିବ।ରାୟଗଡ଼ା ବ୍ୟତୀତ କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ କେନ୍ଦୁଝର ଭଳି ଜିଲ୍ଲାର ମଧ୍ୟ ଅନେକ ଦୁର୍ଗମ ଗାଁ ଏହି ସମସ୍ୟାର ସମ୍ମୁଖୀନ ହେଉଛି। ମୋଟ ୭୧ଟି ଗାଁରେ ରାସ୍ତା ଅଭାବରୁ ମୋବାଇଲ ଟାୱାର ସ୍ଥାପନ ବିଳମ୍ବିତ ହୋଇଥିବା ଜଣାପଡ଼ିଛି।

ଏଭଳି ପରିସ୍ଥିତିରେ ପ୍ରଥମେ ରାସ୍ତା ଯୋଗାଯୋଗ ସୁନିଶ୍ଚିତ କରିବା ଏବଂ ପରେ ମୋବାଇଲ ଟାୱାର ସ୍ଥାପନ କରି ଦୁର୍ଗମ ଅଞ୍ଚଳକୁ ଡିଜିଟାଲ ସଂଯୋଗ ସହ ଯୋଡ଼ିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

You may also like

Leave a Comment