ଓଲିଉଡ୍ରେ ଏବେ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ପଶାପାଲି’। ସିନେମାର ସୁଟିଂ ଶେଷ ହୋଇଥିବାବେଳେ ବର୍ତ୍ତମାନ ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଏହାର ଏଡିଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି।ରାଜନୈତିକ ପୃଷ୍ଠଭୂମିକୁ ଆଧାର କରି ଫିଲ୍ମର କାହାଣୀ ଗଢ଼ାଯାଇଛି। ପ୍ରଶାନ୍ତ କର ଏହାର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ, ପୂର୍ବରୁ ଅନେକ ଓଡ଼ିଆ ସିନେମା ସହ ଜଡ଼ିତ ଦିଲୀପ ଦାଶ ମୁଖ୍ୟ ଉପଦେଷ୍ଟା ଭାବେ କାମ କରୁଛନ୍ତି।
ଚଳଚ୍ଚିତ୍ରରେ ଶ୍ରୀମୟୀ ମିଶ୍ର, ଦୁଷ୍ମନ୍ତ, ରାଜ ରାଜେଶ, ପୁନମ୍, ପୃଥ୍ବୀରାଜ ନାୟକ, କେଦାର ମିଶ୍ର ଓ ଶୁଭ୍ରାଂଶୁଙ୍କ ଭଳି କଳାକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ମାଧ୍ୟମରେ ଜଣାଶୁଣା ଟେଲି ଅଭିନେତ୍ରୀ ତଥା ରାଜନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରଥମଥର ପାଇଁ ବଡ଼ ପରଦାରେ ନଜର ଆସିବେ।ସିନେମାର ସଙ୍ଗୀତ ଦାୟିତ୍ୱ ମଳୟ ମିଶ୍ର ସମ୍ଭାଳିଛନ୍ତି। ଇତିମଧ୍ୟରେ ‘ପଶାପାଲି’ର ପୋଷ୍ଟର ମଧ୍ୟ ପ୍ରକାଶ ପାଇଛି। ରାଜନୈତିକ କାହାଣୀ, ଭିନ୍ନ ଧରଣର ଚରିତ୍ର ଏବଂ ଶ୍ରୀମୟୀ ମିଶ୍ରଙ୍କ ଡେବ୍ୟୁକୁ ନେଇ ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହ ବଢ଼ିଛି। ବିଶେଷକରି ତାଙ୍କ ଚରିତ୍ର କିପରି ହେବ, ତାହା ଜାଣିବା ପାଇଁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
