Home Featuredଲାଞ୍ଚ ମାମଲାରେ ଶ୍ରମ ଅଧିକାରୀ ଗିରଫ, ସରକାରୀ କ୍ୱାର୍ଟରରୁ ୭.୨୯ ଲକ୍ଷ ନଗଦ ଓ ୩୦୦ ଗ୍ରାମ୍‌ ସୁନା ଜବତ

ଲାଞ୍ଚ ମାମଲାରେ ଶ୍ରମ ଅଧିକାରୀ ଗିରଫ, ସରକାରୀ କ୍ୱାର୍ଟରରୁ ୭.୨୯ ଲକ୍ଷ ନଗଦ ଓ ୩୦୦ ଗ୍ରାମ୍‌ ସୁନା ଜବତ

by Sunita Jena
0 comments

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ସମ୍ପତ୍ତି ଯାଞ୍ଚ ବେଳେ ବଡ଼ ଧରଣର ନଗଦ ଟଙ୍କା ଓ ସୁନା ମିଳିଛି। ତାଙ୍କ ସରକାରୀ କ୍ୱାର୍ଟରରୁ ପ୍ରାୟ ୭ ଲକ୍ଷ ୨୯ ହଜାର ଟଙ୍କା ନଗଦ ଏବଂ ୩୦୦ ଗ୍ରାମ୍‌ ସୁନା ଜବତ କରାଯାଇଛି। ଅଭିଯୋଗ ଅନୁସାରେ, ଜଣେ ବିଦ୍ୟୁତ୍‌ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ଆକାଶ ବିଷୋୟୀଙ୍କୁ ଧରିଥିଲା। ଠିକାଦାରଙ୍କ କମ୍ପାନୀକୁ ଟିପିଏନ୍‌ଓଡିଏଲ୍‌ର ବୈଦ୍ୟୁତିକ କାମ ମିଳିଥିବା ବେଳେ ଶ୍ରମିକ ନିଯୁକ୍ତି ପାଇଁ ଶ୍ରମ ବିଭାଗର ଅନୁମତି ଆବଶ୍ୟକ ଥିଲା।

ଏଥିପାଇଁ ଠିକାଦାର ଅନଲାଇନ୍‌ରେ ଆବେଦନ କରିଥିଲେ। ପରେ ଆବେଦନର ସ୍ଥିତି ଜାଣିବାକୁ ଯୋଗାଯୋଗ କରିବାରୁ ଅନୁମତି ପତ୍ର ଜାରି କରିବା ବଦଳରେ ଶ୍ରମ ଅଧିକାରୀ ୨୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍‌ ଜାଲ ବିଛାଇଥିଲା। ଠିକାଦାରଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ବେଳେ ଅଧିକାରୀଙ୍କୁ ଧରାଯାଇଥିଲା। ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ମଧ୍ୟ ଜବତ ହୋଇଛି।

ଏହାପରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କ ସରକାରୀ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ନଗଦ ଟଙ୍କା ଓ ସୁନା ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଘଟଣାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଲାଞ୍ଚ ଗ୍ରହଣ ଅଭିଯୋଗରେ ଆକାଶ ବିଷୋୟୀଙ୍କୁ ଗିରଫ କରାଯାଇଥିବା ବେଳେ ଜବତ ଟଙ୍କା ଓ ସୁନାର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

You may also like

Leave a Comment