କଟକ ଏସ୍ସିବି ବଡ଼ ମେଡିକାଲ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ହୋଇଥିବା ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଘଟଣାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି। ଏହି ଘଟଣାରେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ କୁମାର ରାଉତଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ପୁଲିସ ମାମଲାର ବିଭିନ୍ନ ଦିଗ ନେଇ ଖୋଳତାଡ଼ କରୁଛି।
ତଦନ୍ତ ସମୟରେ ଗତ କିଛି ବର୍ଷର ଅନେକ ଦରମା ବିଲ୍ରେ ହେରଫେର ହୋଇଥିବା ତଥ୍ୟ ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି।
୨୦୭ଟି ବିଲ୍ରେ ହେରଫେର ଠାବ
ସୂଚନା ଅନୁସାରେ, ୨୦୧୬ରୁ ୨୦୨୬ ମଧ୍ୟରେ ଏସ୍ସିବିରେ ପ୍ରାୟ ୨ ଲକ୍ଷ ୪୦ ହଜାର ଦରମା ବିଲ୍ ପ୍ରସ୍ତୁତ ହୋଇଛି। ଏଥିରୁ ଏପର୍ଯ୍ୟନ୍ତ ୨୦୭ଟି ବିଲ୍ରେ ହେରଫେର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଅର୍ଥାତ୍, ଗତ ୧୦ ବର୍ଷ ମଧ୍ୟରେ ହାରାହାରି ପ୍ରତିବର୍ଷ ପ୍ରାୟ ୨୦ଟି ବିଲ୍ରେ ଅନିୟମିତତା ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।
ହେବ ସ୍ୱତନ୍ତ୍ର ଅଡିଟ୍
ଏହି ଆର୍ଥିକ ହେରଫେର ଘଟଣାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍ଶୀଘ୍ର ଏକ ସ୍ୱତନ୍ତ୍ର ଟିମ୍ ଏସ୍ସିବିରେ ପହଞ୍ଚି ଅଡିଟ୍ ଆରମ୍ଭ କରିବେ।
ଏହି ଅଡିଟ୍ରେ ୨୦୧୬-୧୭ରୁ ୨୦୨୫-୨୬ ପର୍ଯ୍ୟନ୍ତର ଆର୍ଥିକ କାରବାର ଓ ବିଲ୍ଗୁଡ଼ିକୁ ଯାଞ୍ଚ କରାଯିବ। ବିଶେଷକରି ଦରମା ବିଲ୍ ସମେତ ଆର୍ଥିକ ହେରଫେର ସହ ଜଡ଼ିତ ଦସ୍ତାବିଜ ଯାଞ୍ଚ କରାଯିବ।
ଅଡିଟ୍ ଶେଷ ହେବା ପରେ ଏହାର ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ଏସ୍ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି।
ଏବେ ପୁଲିସ ତଦନ୍ତ ସହ ସ୍ୱତନ୍ତ୍ର ଅଡିଟ୍ ମାଧ୍ୟମରେ ଏହି ଆର୍ଥିକ ଅନିୟମିତତାର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବା ଉପରେ ନଜର ରହିଛି।
