ଓଡ଼ିଶାରେ ସୂଚନା ପ୍ରଯୁକ୍ତି (IT) କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରର ଦମଣା ଛକ ନିକଟରେ ପ୍ରସ୍ତାବିତ ଏକ ନୂଆ IT ପାର୍କ ନିର୍ମାଣ ପାଇଁ ଡେଭେଲପରମାନଙ୍କଠାରୁ Expression of Interest (EoI) ଆହ୍ୱାନ କରାଯାଇଛି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏହି EoI ଜାରି କରିଛି। ସାଧାରଣ ପ୍ରଶାସନ ବିଭାଗ ମାଲିକାନାରେ ଥିବା ପ୍ରାୟ ୨୫ ଏକର ଜମି ଉପରେ ଏହି IT ପାର୍କ ଗଢ଼ି ଉଠିବ।
ସରକାରୀ ସୂଚନା ଅନୁସାରେ, ପ୍ରକଳ୍ପ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ବଜାରର ଆଗ୍ରହ ଜାଣିବା ଏବଂ ସମ୍ଭାବ୍ୟ ଡେଭେଲପରଙ୍କ ମତାମତ ସଂଗ୍ରହ କରିବା ପାଇଁ ଏହି EoI ପ୍ରକ୍ରିୟା ଆରମ୍ଭ କରାଯାଇଛି।
ପ୍ରସ୍ତାବିତ IT ପାର୍କକୁ ଏକ ଆଧୁନିକ “ୱାକ୍-ଟୁ-ୱର୍କ” (Walk-to-Work) କ୍ୟାମ୍ପସ ଭାବେ ବିକଶିତ କରାଯିବ। ଏଠାରେ IT ଓ IT Enabled Services (ITeS) କମ୍ପାନି ପାଇଁ ଅଫିସ୍ ସ୍ପେସ୍ ସହ ଆବାସିକ, ବ୍ୟବସାୟିକ ଏବଂ ମନୋରଞ୍ଜନ ସୁବିଧା ମଧ୍ୟ ରହିବ।
ଏହି ପ୍ରକଳ୍ପର ମୋଟ ନିର୍ମାଣ କ୍ଷେତ୍ରଫଳ ପ୍ରାୟ ୪୫ ଲକ୍ଷ ବର୍ଗଫୁଟ୍ ହେବ। ସେଥିରୁ ପ୍ରାୟ ୭୦ ପ୍ରତିଶତ ସ୍ଥାନ IT ଓ ITeS କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବ। ଅବଶିଷ୍ଟ ସ୍ଥାନରେ ଆବାସିକ, ବ୍ୟବସାୟିକ ଓ ଅନ୍ୟାନ୍ୟ ମିଶ୍ରିତ ବିକାଶ କାର୍ଯ୍ୟ କରାଯିବ।
ଦମଣା ଛକରେ ପ୍ରସ୍ତାବିତ ଏହି IT ପାର୍କ ଇନ୍ଫୋସିଟିଠାରୁ ପ୍ରାୟ ୩ କିଲୋମିଟର ଏବଂ ଇନ୍ଫୋଭ୍ୟାଲିଠାରୁ ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ ହେବ। ଏହା ଭୁବନେଶ୍ୱରର ଦ୍ରୁତ ବିକାଶଶୀଳ IT କରିଡରକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ଚୟନ ହେବାକୁ ଥିବା ଡେଭେଲପର ଏକ ଭବିଷ୍ୟତମୁଖୀ IT କ୍ୟାମ୍ପସର ଡିଜାଇନ୍ ଓ ନିର୍ମାଣ କରିବେ। ଏଥିରେ ଅଫିସ୍ ଟାୱାର, ଷ୍ଟାର୍ଟଅପ୍ ପାଇଁ ଇନ୍କ୍ୟୁବେସନ୍ ସେଣ୍ଟର, କୋ-ୱର୍କିଂ ସ୍ପେସ୍, ରିଟେଲ୍ ଆଉଟଲେଟ୍, ହୋଟେଲ୍, ସର୍ଭିସ୍ ଆପାର୍ଟମେଣ୍ଟ, ଉଚ୍ଚଗତିର ଡିଜିଟାଲ୍ ଭିତ୍ତିଭୂମି, ସବୁଜ ପରିବେଶ ଏବଂ ଟିକାଉ ୟୁଟିଲିଟି ବ୍ୟବସ୍ଥା ରହିବ।
ରାଜ୍ୟ ସରକାରଙ୍କ ଆଶା, ଏହି ପ୍ରକଳ୍ପ ମାଧ୍ୟମରେ ଅଧିକ ଦେଶୀ ଓ ବିଦେଶୀ ନିବେଶ ଆସିବ, ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ, ନୂତନ ଉଦ୍ଭାବନକୁ ବଳ ମିଳିବ ଏବଂ ଓଡ଼ିଶାରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହେବ।
