ସମବାୟ ସମିତି ହେବ ଗ୍ରାମାଞ୍ଚଳର ‘ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ରାଜ୍ୟର ସମବାୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ଚାଷୀଙ୍କୁ ସମବାୟ ସଂସ୍ଥା ସହ ଅଧିକ ସଂଖ୍ୟାରେ ଯୋଡ଼ିବା ପାଇଁ ‘ସମ୍ବନ୍ଧ’ ନାମରେ ମେଗା ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର OUATର କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସମବାୟ ସଂସ୍ଥାକୁ ରାଜନୈତିକ ମଞ୍ଚ ଭାବେ ନୁହେଁ, ବରଂ ଚାଷୀଙ୍କ ଆର୍ଥିକ ଓ ସାମାଜିକ ଉନ୍ନତିର ଏକ ମାଧ୍ୟମ ଭାବେ ଦେଖିବା ଆବଶ୍ୟକ। ‘ସମ୍ବନ୍ଧ’ ଅଭିଯାନ ଜରିଆରେ ସରକାର ଓ ଚାଷୀ ପରିବାର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟ ରହିଛି। ଏଥିପାଇଁ ଅଧିକରୁ ଅଧିକ ଚାଷୀ PACS ଓ LAMPCSର ସଦସ୍ୟ ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ଗାଁରେ ମିଳିବ ଏକାଧିକ ସେବା
ସମବାୟ ନୀତି-୨୦୨୬ ଅଧୀନରେ PACS ଓ LAMPCSକୁ କେବଳ ଋଣ ପ୍ରଦାନକାରୀ ସଂସ୍ଥା ଭିତରେ ସୀମିତ ନ ରଖି ଗ୍ରାମାଞ୍ଚଳରେ ବହୁମୁଖୀ ସେବା କେନ୍ଦ୍ର ଭାବେ ବିକଶିତ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୋଟିଏ ସ୍ଥାନରେ ସାର, ବିହନ, କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ ସେବା, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ଭଳି ସୁବିଧା ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଧାନ ପାଇଁ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ଦିଆଯାଉଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।
ଏହି ଅବସରରେ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର ଓ ୬୦ଟି ନୂଆ କନ୍ଜ୍ୟୁମର ଷ୍ଟୋରର ଉଦ୍ଘାଟନ କରାଯାଇଥିଲା। ଏଥିସହ ୭୦ଟି PACSର ନୂଆ କାର୍ଯ୍ୟାଳୟ ଓ ଗୋଦାମ, ୨୧ଟି PACSରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି।
ଏହା ବ୍ୟତୀତ ୪ଟି ଆଦର୍ଶ ମଣ୍ଡି ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ଶସ୍ୟ ସଂରକ୍ଷଣ ପ୍ରକଳ୍ପ ଅଧୀନରେ ୩ଟି ଗୋଦାମର ମଧ୍ୟ ଶିଳାନ୍ୟାସ କରାଯାଇଛି।
୮ ଲକ୍ଷ ଚାଷୀଙ୍କୁ ଲାଭାଂଶ
ସମବାୟ ସମିତିଗୁଡ଼ିକରେ ଡିଜିଟାଲ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ପାଇଁ National PACS Software ମାଧ୍ୟମରେ କୋର୍ ବ୍ୟାଙ୍କିଙ୍ଗ ଓ ରିଅଲ୍-ଟାଇମ୍ ସେଟେଲମେଣ୍ଟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ୩୦୦ଟି PACSରେ NLPS ମାଧ୍ୟମରେ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି।
ପ୍ରଥମ ଥର ପାଇଁ PACS ଓ LAMPCSର ଚାଷୀ-ସଦସ୍ୟଙ୍କୁ ଲାଭାଂଶ ପ୍ରଦାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୫୦୦ରୁ ଅଧିକ ସମବାୟ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଏହାରୁ ଉପକୃତ ହେବେ। ଏହି ଅବସରରେ ୩୨୨ଟି PACS ଓ LAMPCSର ଚାଷୀ ସଦସ୍ୟଙ୍କୁ ଲାଭାଂଶ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା।
ଆଖୁ ଚାଷୀଙ୍କୁ ଏକର ପିଛା ୧୫ ହଜାର ଟଙ୍କା
ରାଜ୍ୟରେ ଆଖୁ ଚାଷ ବୃଦ୍ଧି ଏବଂ ସମବାୟ ଚିନି ଶିଳ୍ପକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ନୂଆ ପ୍ରୋତ୍ସାହନ ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନିକଳ ଅଞ୍ଚଳର ଆଖୁ ଚାଷୀଙ୍କୁ ଏକର ପିଛା ୧୫ ହଜାର ଟଙ୍କା ଇନ୍ପୁଟ୍ ସବ୍ସିଡି ଦିଆଯିବ। ଏଥିସହ ଅଧିକ ସୁଗାର କଣ୍ଟେଣ୍ଟ ଥିବା ଉନ୍ନତମାନର ଆଖୁ ବିହନ ଚାଷୀଙ୍କୁ ଯୋଗାଇବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
୬୬ ଜଣଙ୍କୁ ନିଯୁକ୍ତି ପତ୍ର
କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ମୋଟ ୬୬ ଜଣ ନୂଆ ନିଯୁକ୍ତି ପାଇଛନ୍ତି।
କାର୍ଯ୍ୟକ୍ରମରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିଥିଲେ।
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ପରିବାରରୁ ଅନ୍ତତଃ ଜଣେ ସଦସ୍ୟଙ୍କୁ ସମବାୟ ସହ ଯୋଡ଼ିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୨୦୩୬ ଓ ୨୦୪୭ର ବିକାଶ ଲକ୍ଷ୍ୟ ହାସଲରେ ସମବାୟ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ସମବାୟ ସଂସ୍ଥାର ଆଧୁନିକୀକରଣ ଓ ଡିଜିଟାଇଜେସନ୍ ଉପରେ ସେ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଗୁହା ପୁନମ୍ ତାପସ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସମବାୟ ସଂସ୍ଥାର ସଦସ୍ୟ, ଚାଷୀ ଓ ସମବାୟବିତ୍ମାନେ ଉପସ୍ଥିତ ଥିଲେ।
