ଶ୍ରୀମନ୍ଦିରରେ ବୁଧବାର ପବିତ୍ର ‘ରାହୁରେଖା ଲାଗି’ ନୀତି ପାଳନ କରାଯିବ। ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳରେ ସୁନାର ରାହୁରେଖା ଲାଗି କରାଯିବ।
ଏହି ସ୍ୱତନ୍ତ୍ର ନୀତି ଶ୍ରୀମନ୍ଦିରର ପାରମ୍ପରିକ ଧାର୍ମିକ ନୀତିକାନ୍ତିର ଏକ ଅଂଶ। ରାହୁରେଖାକୁ କେବଳ ଏକ ଅଳଙ୍କାର ଭାବେ ନୁହେଁ, ବରଂ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଅଂଶ ଭାବେ ବିବେଚନା କରାଯାଏ।
ଗୋପାଳବଲ୍ଲଭ ଭୋଗ ପରେ ଆରମ୍ଭ ହେବ ନୀତି
ସୂଚନା ଅନୁସାରେ, ଗୋପାଳବଲ୍ଲଭ ଭୋଗ ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ। ଏଥିପାଇଁ ଭଣ୍ଡାର ଘରୁ ରାହୁରେଖାଗୁଡ଼ିକୁ ବାହାର କରାଯିବ।
ଏହାପରେ ବଣିଆ ସେବକମାନେ ରାହୁରେଖାଗୁଡ଼ିକୁ ସଫା କରିବା ସହ ପଲିସ୍ କରିବେ। ରାହୁରେଖାଗୁଡ଼ିକୁ ସଫା ଓ ପ୍ରସ୍ତୁତ କରାଯିବା ପରେ ପରବର୍ତ୍ତୀ ନୀତି ଆରମ୍ଭ ହେବ।
ସିଂହାସନକୁ ଯିବେ ଦଇତାପତି ସେବକ
ରାହୁରେଖା ଲାଗି ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ଦଇତାପତି ସେବକମାନେ ସିଂହାସନ ଉପରକୁ ଯାଇ ଶ୍ରୀଅଙ୍ଗ ମଣି ସଂଗ୍ରହ କରିବେ।
ଏହାପରେ ତିନି ଠାକୁରଙ୍କ ରାହୁରେଖାକୁ ବିଧି ଅନୁସାରେ ଶୁଦ୍ଧ କରାଯିବ। ଶୁଦ୍ଧିକରଣ ପ୍ରକ୍ରିୟା ସରିବା ପରେ ଦଇତାପତି ସେବକମାନେ ‘ଓସୁଆ’ ବ୍ୟବହାର କରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳରେ ସୁନାର ରାହୁରେଖା ଲାଗି କରିବେ।
କ’ଣ ଏହି ରାହୁରେଖା?
ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କହିବା ଅନୁସାରେ, ରାହୁରେଖା କୌଣସି ସାଧାରଣ ଅଳଙ୍କାର ନୁହେଁ। ଏହା ଶ୍ରୀଅଙ୍ଗର ଅଂଶ।
ବିଶ୍ୱାସ ରହିଛି ଯେ, ନବଗ୍ରହ ମହାପ୍ରଭୁଙ୍କ ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ବିରାଜମାନ କରନ୍ତି। ନବଗ୍ରହ ମଧ୍ୟରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ।
ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ପ୍ରତିବର୍ଷ ପାରମ୍ପରିକ ଭାବେ ଏହି ରାହୁରେଖା ଲାଗି ନୀତି ପାଳନ କରାଯାଏ।
ନୀତି ପାଇଁ ୪ରୁ ୫ ଘଣ୍ଟା ଦର୍ଶନ ବନ୍ଦ
ରାହୁରେଖା ଲାଗି ନୀତିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦିନ ୨ଟା ପରେ ପ୍ରାୟ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ।
ନୀତିକାନ୍ତି ସମାପ୍ତ ହେବା ପରେ ପୁଣି ସାଧାରଣ ଦର୍ଶନ ସ୍ୱାଭାବିକ ହେବ। ଏହି ପାରମ୍ପରିକ ନୀତି ଅବସରରେ ଶ୍ରୀମନ୍ଦିରରେ ବିଶେଷ ଧାର୍ମିକ ପରିବେଶ ସୃଷ୍ଟି ହେବ।
