ଭୁବନେଶ୍ୱର, ୧୮ ଜୁନ:
ଦୀର୍ଘ ଖରା ଛୁଟି ପରେ ଆଜିଠାରୁ ରାଜ୍ୟର ୨୦ଟି ଜିଲ୍ଲାରେ ସ୍କୁଲ ଖୋଲିଛି। ନୂଆ ଶିକ୍ଷାବର୍ଷ, ନୂଆ ପାଠ୍ୟପୁସ୍ତକ ଏବଂ ନୂଆ ଉତ୍ସାହ ସହ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଫେରିଛନ୍ତି। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ରାଜ୍ୟର ୧୦ଟି ଜିଲ୍ଲାରେ ଗ୍ରୀଷ୍ମ ଛୁଟି ଅବଧି ବଢ଼ାଯାଇଛି।
ବଲାଙ୍ଗିର, ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ କେତେକ ଶିକ୍ଷାନୁଷ୍ଠାନ ୨୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବ। ୨୧ ଜୁନ୍ ରବିବାର ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ୨୨ ଜୁନ୍ ଠାରୁ ପାଠପଢ଼ା ଆରମ୍ଭ ହେବ।
ପାଣିପାଗର ଅସହ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନମାନେ ଏହି ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଉଚ୍ଚ ରହିବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଗ୍ରୀଷ୍ମ ଛୁଟି ବୃଦ୍ଧି କରାଯାଇଛି।
ଏପଟେ ନୂଆପଡ଼ା ଜିଲ୍ଲାରେ ଖରାର ପ୍ରଭାବକୁ ଦେଖି ସକାଳୁଆ ସ୍କୁଲ ବ୍ୟବସ୍ଥା ଜାରି କରାଯାଇଛି। ସକାଳ ୬ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଶ୍ରେଣୀ ପାଠଦାନ ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ରାଜ୍ୟର ଅନ୍ୟ ୨୦ ଜିଲ୍ଲାରେ ସ୍କୁଲ ଖୋଲିଥିବା ବେଳେ ବିଦ୍ୟାଳୟ ପରିସର ପୁଣିଥରେ ଛାତ୍ରଛାତ୍ରୀଙ୍କ କୋଳାହଳରେ ମୁଖରିତ ହୋଇଉଠିଛି। ନୂଆ ଶିକ୍ଷାବର୍ଷକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
