କଟକ ଜିଲ୍ଲା ଜଗତପୁରସ୍ଥିତ ପ୍ରଗତି ମିଲ୍କର ୟୁନିଟ୍-୨ରେ ଆଜି ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କାରଖାନା ପରିସରରେ ଥିବା ଲହୁଣୀ ଗୋଦାମରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ସକାଳ ପ୍ରାୟ ୭ଟା ସମୟରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପ୍ରଥମେ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କାମ ଆରମ୍ଭ କରିଥିଲେ।
ପରେ ନିଆଁର ତୀବ୍ରତାକୁ ଦୃଷ୍ଟିରେ ରଖି କଟକ ଅଗ୍ନିଶମ ଷ୍ଟେସନରୁ ଆଉ ଏକ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ମୋଟ ୫ଟି ଦମକଳ ଗାଡ଼ି ସହ ୩୫ ଜଣ ଅଗ୍ନିଶମ କର୍ମଚାରୀ ଏବଂ ୫ ଜଣ ଅଧିକାରୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଦୀର୍ଘ ସମୟ ଧରି ନିଆଁକୁ ନିୟନ୍ତ୍ରଣ କରିବାର ପ୍ରୟାସ ଚାଲିଛି। ଗୋଦାମରେ ଥିବା ସାମଗ୍ରୀ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପିଥିବା ଆଶଙ୍କା କରାଯାଉଛି।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପରେ କ୍ଷୟକ୍ଷତିର ପରିମାଣ ଏବଂ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ।
