Home Featuredଆୟଠାରୁ ଅଧିକ ସମ୍ପତ୍ତି ମାମଲା: OCC ଇଞ୍ଜିନିୟର ସଞ୍ଜୟ କିସପଟ୍ଟାଙ୍କ ଘର ସମେତ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟଠାରୁ ଅଧିକ ସମ୍ପତ୍ତି ମାମଲା: OCC ଇଞ୍ଜିନିୟର ସଞ୍ଜୟ କିସପଟ୍ଟାଙ୍କ ଘର ସମେତ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

by Shubham Kumar
0 comments

ଭୁବନେଶ୍ୱର: ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍ (OCC) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ସୋମବାର ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ।

ସୂଚନା ଅନୁସାରେ, ସଞ୍ଜୟ କିସପଟ୍ଟା ପୂର୍ବରୁ କୋରାପୁଟ ଆଇଟିଡିଏ (ITDA)ରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଭାବେ କାର୍ଯ୍ୟରତ ଥିବାବେଳେ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଉଠିଥିଲା। ଏହାକୁ ଆଧାର କରି ଜୟପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଅନୁମତି ପରେ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି।

ଭିଜିଲାନ୍ସ ଟିମ୍ କୋରାପୁଟ, ସୁନ୍ଦରଗଡ଼, ଭୁବନେଶ୍ୱର ଓ ବଲାଙ୍ଗିରର ମୋଟ ୭ଟି ସ୍ଥାନରେ ତଲାସି ଚଳାଇଛି। ଏହି ଅଭିଯାନରେ ୬ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

କୋରାପୁଟ ସହରର ଟିକ୍ରା ସାହି ଅଞ୍ଚଳରେ ଥିବା ତାଙ୍କ ଭଡ଼ା ଘରରେ ତଲାସି ଚାଲିଥିବାବେଳେ, କୁମ୍ଭା-୧ ମୌଜାରେ ଥିବା ତାଙ୍କର ଚାରି ମହଲା ବିଶିଷ୍ଟ ବ୍ୟବସାୟିକ କୋଠା ମଧ୍ୟ ଯାଞ୍ଚ କରାଯାଉଛି।

ଏହା ସହିତ କୋରାପୁଟର କୁମ୍ଭା-୨ ଅଞ୍ଚଳରେ ନିର୍ମାଣାଧୀନ ଏକ ବାସଗୃହ ଉପରେ ମଧ୍ୟ ଭିଜିଲାନ୍ସର ନଜର ରହିଛି। ସମ୍ପତ୍ତି ସମ୍ପର୍କିତ ଦଲିଲପତ୍ର ଏବଂ ନିବେଶ ହୋଇଥିବା ଅର୍ଥର ଉତ୍ସ ଯାଞ୍ଚ କରାଯାଉଛି।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅନ୍ତର୍ଗତ ଲାଟେଇମୁଣ୍ଡା ଗାଁରେ ଥିବା ପୈତୃକ ଘର ଏବଂ ସେଠାରେ ନିର୍ମାଣାଧୀନ ତିନି ମହଲା କୋଠାରେ ମଧ୍ୟ ଚଢ଼ାଉ ଚାଲିଛି।

ଭୁବନେଶ୍ୱର ଓ ବଲାଙ୍ଗିରରେ ଥିବା ତାଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ କକ୍ଷରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ ଦଲିଲ, ଇଲେକ୍ଟ୍ରୋନିକ୍ ଉପକରଣ ଓ ଆର୍ଥିକ ରେକର୍ଡ ଯାଞ୍ଚ କରାଯାଉଛି।

ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି କିମ୍ବା ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ ହୋଇଛି କି ନାହିଁ, ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇନାହିଁ।

ଚଢ଼ାଉ ଶେଷ ହେବା ପରେ ଅଚଳ ଓ ଚଳ ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ସହ ଅଧିକ ତଥ୍ୟ ଭିଜିଲାନ୍ସ ପକ୍ଷରୁ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।

You may also like

Leave a Comment