Home Featuredଭାଗବତ ପାଠରେ ଜୀବନର ଦର୍ଶନ, ଟୁଙ୍ଗିର ପୁନରୁତ୍ଥାନ ପାଇଁ ସରକାରୀ ପଦକ୍ଷେପ

ଭାଗବତ ପାଠରେ ଜୀବନର ଦର୍ଶନ, ଟୁଙ୍ଗିର ପୁନରୁତ୍ଥାନ ପାଇଁ ସରକାରୀ ପଦକ୍ଷେପ

by Sunita Jena
0 comments

ଆଧ୍ୟାତ୍ମିକତା ସହ ଜୀବନଧାରାର ଅନେକ ଦିଗକୁ ଦିଗଦର୍ଶନ ଦେଇଥାଏ ଶ୍ରୀମଦ୍‌ ଭାଗବତ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଓ ଧର୍ମୀୟ ଚିନ୍ତନକୁ ନେଇ ରଚିତ ଏହି ଗ୍ରନ୍ଥର ଶିକ୍ଷା ଆଜିର ଆଧୁନିକ ସମାଜରେ ମଧ୍ୟ ଗୁରୁତ୍ୱ ବହନ କରୁଛି। ଭାଗବତରେ ଥିବା ୧୮ ହଜାର ଶ୍ଳୋକ ମଣିଷକୁ ଜୀବନର ବିଭିନ୍ନ ଦିଗରେ ମାର୍ଗଦର୍ଶନ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୁରୀର ହୋଟେଲ ସେଭେନ୍‌ ହିଲ୍‌ସରେ ‘ପରମ ଶକ୍ତି ପୀଠ’ ପକ୍ଷରୁ ଆୟୋଜିତ ‘ଶ୍ରୀମଦ୍‌ ଭାଗବତ କଥା ମହୋତ୍ସବ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ମତ ରଖିଥିଲେ। ପଦ୍ମଭୂଷଣ ସାଧ୍ବୀ ଋତୁମ୍ବରାଙ୍କ ଉପସ୍ଥିତିରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସେ କହିଥିଲେ, ଭାଗବତ କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏଥିରେ ମଣିଷର ଜୀବନକୁ ନେଇ ଗଭୀର ଚିନ୍ତନ ରହିଛି। ତେଣୁ ଆସ୍ତିକ ହୁଅନ୍ତୁ କିମ୍ବା ନାସ୍ତିକ, ପ୍ରତ୍ୟେକ ବ୍ୟକ୍ତି ଭାଗବତର ଶିକ୍ଷାକୁ ଜାଣିବା ଉଚିତ ବୋଲି ସେ ମତ ଦେଇଥିଲେ। ଓଡ଼ିଶାରେ ଭାଗବତ ପାଠର ଏକ ଦୀର୍ଘ ପରମ୍ପରା ରହିଛି। ଗାଁ ଗହଳିରେ ଥିବା ଭାଗବତ ଟୁଙ୍ଗିଗୁଡ଼ିକ ଦୀର୍ଘଦିନ ଧରି ଧାର୍ମିକ ଓ ସାମାଜିକ ଚେତନାର ପ୍ରସାର କରିଆସୁଛନ୍ତି। ଓଡ଼ିଆ ଅସ୍ମିତା ସହ ଏହି ପରମ୍ପରାକୁ ଯୋଡ଼ି ଭାଗବତ ଟୁଙ୍ଗିଗୁଡ଼ିକର ପୁନରୁତ୍ଥାନ ଦିଗରେ ସରକାର ପଦକ୍ଷେପ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ ଯେ, ଚାରି ବେଦ, ଉପବେଦ, ୧୮ ପୁରାଣ, ଉପନିଷଦ, ରାମାୟଣ ଓ ମହାଭାରତ ଭାରତୀୟ ସନାତନ ପରମ୍ପରାକୁ ସମୃଦ୍ଧ କରିଛି। ଏହି ସମସ୍ତ ଗ୍ରନ୍ଥ ମଧ୍ୟରେ ଶ୍ରୀମଦ୍‌ ଭାଗବତର ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଆ ସମାଜରେ ମଧ୍ୟ ଭାଗବତ ପାଠକୁ ନେଇ ଗଭୀର ଆସ୍ଥା ରହିଛି। ଜୀବନର ଶେଷ ସମୟରେ ମଧ୍ୟ ଭାଗବତ ଶୁଣିବା ଓ ଭଗବାନଙ୍କୁ ସ୍ମରଣ କରିବାର ପରମ୍ପରା ଓଡ଼ିଶାରେ ଦେଖିବାକୁ ମିଳେ। ଶ୍ରୀଜଗନ୍ନାଥ ଧାମ ପୁରୀକୁ ଏକ ଆଧ୍ୟାତ୍ମିକ ନଗରୀ ଭାବେ ବିକଶିତ କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ସାଧ୍ବୀ ଋତୁମ୍ବରାଙ୍କ ସାମାଜିକ ଓ ଧାର୍ମିକ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ସମୟରେ ସେ ଦେଶବ୍ୟାପୀ ଜନଜାଗରଣରେ ଭୂମିକା ନେଇଥିବା କଥା ସେ ଉଲ୍ଲେଖ କରିଥିଲେ। ପରମ ଶକ୍ତି ପୀଠ ପକ୍ଷରୁ ‘ବାତ୍ସଲ୍ୟ ଗ୍ରାମ’ ମାଧ୍ୟମରେ ଅସହାୟ ଲୋକଙ୍କୁ ଆଶ୍ରୟ ଓ ସହାୟତା ଯୋଗାଇ ଦିଆଯାଉଥିବା ନେଇ ମଧ୍ୟ ସେ ଆଲୋଚନା କରିଥିଲେ। ଓଡ଼ିଶାରେ ‘ବାତ୍ସଲ୍ୟ ଗ୍ରାମ’ ଏବଂ ‘ସମ୍ବିଦ୍‌ ଗୁରୁକୁଳମ୍‌ ସୈନିକ ସ୍କୁଲ୍‌’ ପ୍ରତିଷ୍ଠା ପାଇଁ ସାଧ୍ବୀ ଋତୁମ୍ବରାଙ୍କ ପ୍ରସ୍ତାବକୁ ସ୍ୱାଗତ କରିବା ସହ ରାଜ୍ୟରେ ଏଭଳି ଶିକ୍ଷାନୁଷ୍ଠାନର ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଧାୟକ ଆଶ୍ରିତ ପଟ୍ଟନାୟକ, ଓମପ୍ରକାଶ ମିଶ୍ର, ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସାଧ୍ବୀ ଶିରୋମଣି ଜୀ ଓ ସହସଂଯୋଜକ ଉମେଶ ଖଣ୍ଡେଲୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୟ ଭଗବାନ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ।

You may also like

Leave a Comment