Home Featuredଯୌତୁକ ନିର୍ଯାତନାରେ ଥମୁନି ନିର୍ଯାତନା, ୫ ବର୍ଷରେ ୧୬୬ ବଧୂହତ୍ୟା

ଯୌତୁକ ନିର୍ଯାତନାରେ ଥମୁନି ନିର୍ଯାତନା, ୫ ବର୍ଷରେ ୧୬୬ ବଧୂହତ୍ୟା

by Sunita Jena
0 comments

ଶିକ୍ଷା ଓ ସଚେତନତା ବଢ଼ିବା ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଯୌତୁକ ପ୍ରଥାର ଭୟାବହ ପ୍ରଭାବ ଚିନ୍ତାର କାରଣ ହୋଇଛି। ଗତ ପାଞ୍ଚ ବର୍ଷର ତଥ୍ୟ ଅନୁଯାୟୀ, ଅଞ୍ଚଳର ୧୦ଟି ଜିଲ୍ଲାରେ ଯୌତୁକ ନିର୍ଯାତନା ସହ ଜଡ଼ିତ ହଜାର ହଜାର ମାମଲା ରୁଜୁ ହୋଇଛି। ଏହା ସହିତ ଯୌତୁକ ଦାବିକୁ କେନ୍ଦ୍ର କରି ଅନେକ ମହିଳାଙ୍କ ଜୀବନ ମଧ୍ୟ ଚାଲିଯାଇଛି। ୨୦୨୧ରୁ ୨୦୨୫ ମଧ୍ୟରେ ମୋଟ ୪,୦୧୬ଟି ଯୌତୁକ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଯୌତୁକ ଦାବିକୁ ନେଇ ୧୬୬ ଜଣ ବଧୂଙ୍କ ହତ୍ୟା ହୋଇଥିବା ବେଳେ ନିର୍ଯାତନା ସହି ନପାରି ୭୨ ଜଣ ମହିଳା ଆତ୍ମହତ୍ୟା କରିଥିବା ତଥ୍ୟ ସାମ୍ନାକୁ ଆସିଛି।

ଜିଲ୍ଲାୱାରୀ ତଥ୍ୟ ଦେଖିଲେ ବରଗଡ଼ରେ ବଧୂହତ୍ୟା ସଂଖ୍ୟା ସର୍ବାଧିକ। ଏଠାରେ ୩୫ଟି ଘଟଣା ରେକର୍ଡ ହୋଇଛି। ବଲାଙ୍ଗୀରରେ ୨୬, କଳାହାଣ୍ଡିରେ ୨୪, ସମ୍ବଲପୁରରେ ୧୯, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁରରେ ୧୩ଟି ଲେଖାଏଁ ବଧୂହତ୍ୟା ଘଟଣା ଘଟିଛି। ସେହିପରି ବୌଦ୍ଧରେ ୧୨, ରାଉରକେଲାରେ ୯, ସୁନ୍ଦରଗଡ଼ରେ ୮, ନୂଆପଡ଼ାରେ ୪ ଏବଂ ଦେବଗଡ଼ରେ ୩ଟି ଘଟଣା ସାମ୍ନାକୁ ଆସିଛି। ଯୌତୁକଜନିତ ଆତ୍ମହତ୍ୟା ଘଟଣାରେ କଳାହାଣ୍ଡି ସବୁଠାରୁ ଆଗରେ ରହିଛି। ପାଞ୍ଚ ବର୍ଷ ମଧ୍ୟରେ ଏଠାରେ ୧୯ ଜଣ ମହିଳା ଜୀବନ ହାରିଛନ୍ତି। ବଲାଙ୍ଗୀରରେ ୧୮ ଜଣ, ବରଗଡ଼ ଓ ଝାରସୁଗୁଡ଼ାରେ ୧୦ ଜଣ ଲେଖାଏଁ ଏବଂ ସମ୍ବଲପୁର ଓ ରାଉରକେଲାରେ ୯ ଜଣ ଲେଖାଏଁ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁରରେ ୩ ଜଣ ଏବଂ ଦେବଗଡ଼, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମହିଳା ଯୌତୁକଜନିତ ନିର୍ଯାତନା ପରେ ଆତ୍ମହତ୍ୟା କରିଥିବା ତଥ୍ୟ ରହିଛି।

କେବଳ ଯୌତୁକ ଦାବି ନୁହେଁ, ପାରିବାରିକ କଳହ ଓ ଘରୋଇ ହିଂସା ମଧ୍ୟ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଗତ ପାଞ୍ଚ ବର୍ଷରେ ଏହି ଅଞ୍ଚଳରେ ଯୌତୁକ ବ୍ୟତୀତ ଅନ୍ୟ ପାରିବାରିକ ବିବାଦ ସହ ସମ୍ପର୍କିତ ୫,୦୨୪ଟି ମାମଲା ମଧ୍ୟ ରେକର୍ଡ ହୋଇଛି। ଏହି ପରିସଂଖ୍ୟାନ ଯୌତୁକ ପ୍ରଥା ବିରୋଧରେ ଆଇନର କଡ଼ା କାର୍ଯ୍ୟାନ୍ୱୟନ ସହ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ଦର୍ଶାଉଛି। ଯୌତୁକ ଦାବି ଓ ନିର୍ଯାତନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ପୀଡ଼ିତାଙ୍କୁ ତୁରନ୍ତ ଆଇନଗତ ଓ ସାମାଜିକ ସହାୟତା ଦେବାକୁ ଦାବି ଜୋର ଧରିଛି।

You may also like

Leave a Comment