ଭୁବନେଶ୍ୱର: ବାଲେଶ୍ୱର ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କ ଉପଯୁକ୍ତ ଯତ୍ନ, ସ୍ୱାସ୍ଥ୍ୟ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଉଦ୍ଧାର ପରବର୍ତ୍ତୀ ସମୟରେ ଏହି ବନ୍ୟପ୍ରାଣୀଙ୍କ ରହିବା, ଚିକିତ୍ସା ଓ ଦୈନନ୍ଦିନ ଯତ୍ନ ସମ୍ପର୍କରେ କମିଟି ବିଶେଷଜ୍ଞ ପରାମର୍ଶ ଦେବ।
ଓରାଙ୍ଗଉଟାନମାନଙ୍କୁ Wild Life (Protection) Act, 1972 ଅନୁଯାୟୀ ନିରାପଦ ଓ ଉପଯୁକ୍ତ ପରିବେଶରେ ରଖିବା ସହ ସେମାନଙ୍କର ଉତ୍ତମ ଯତ୍ନ ସୁନିଶ୍ଚିତ କରିବା କମିଟିର ପ୍ରମୁଖ ଦାୟିତ୍ୱ ରହିବ।
୬ ମାସ ରହିବ କମିଟିର କାର୍ଯ୍ୟକାଳ
ଗଠିତ ବୈଷୟିକ କମିଟିର କାର୍ଯ୍ୟକାଳ ପ୍ରାଥମିକ ଭାବେ ୬ ମାସ ଧାର୍ଯ୍ୟ କରାଯାଇଛି। ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ କମିଟିର କାର୍ଯ୍ୟକାଳ ବଢ଼ାଯାଇପାରିବ।
କମିଟିରେ ୫ ସଦସ୍ୟ
ଏହି ବୈଷୟିକ କମିଟିରେ ମୋଟ ୫ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ—
- ମୈସୁରସ୍ଥିତ ଶ୍ରୀ ଚାମରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ୍ସର ଭେଟେରିନାରୀ ଅଫିସର, କର୍ଣ୍ଣାଟକ PCCFଙ୍କ ଦ୍ୱାରା ମନୋନୀତ ସଦସ୍ୟ।
- ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡେରାଡୁନର ନିର୍ଦ୍ଦେଶକଙ୍କ ପ୍ରତିନିଧି।
- ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥ, OUAT, ଭୁବନେଶ୍ୱରର ପ୍ରୋଜେକ୍ଟ କୋ-ଅର୍ଡିନେଟର।
- ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଜୁଲୋଜିକାଲ ପାର୍କର ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ଭେଟେରିନାରୀ ଅଫିସର।
- ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ।
ଦେଶ-ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବ କମିଟି
ଓରାଙ୍ଗଉଟାନଙ୍କ ଯତ୍ନ ସମ୍ପର୍କିତ ବିଶେଷ ବୈଷୟିକ ଆବଶ୍ୟକତା ଦେଖାଦେଲେ କମିଟି ଦେଶ ତଥା ବିଦେଶର ଅଭିଜ୍ଞ ବିଶେଷଜ୍ଞ କିମ୍ବା ସମ୍ପୃକ୍ତ ପ୍ରତିଷ୍ଠିତ ସଂଗଠନର ସହାୟତା ଓ ପରାମର୍ଶ ନେଇପାରିବ।
ଏହାସହ କମିଟିର ସଦସ୍ୟମାନଙ୍କ ଆବଶ୍ୟକୀୟ ଗସ୍ତ, ସମନ୍ୱୟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇ ଦିଆଯାଇଛି।
ଏପଟେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ଆଗାମୀ ଦିନରେ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ଆବାସ ବ୍ୟବସ୍ଥା ଉପରେ କମିଟି ନିୟମିତ ଭାବେ ନଜର ରଖିବ।
