Home Featuredମୟୂରଭଞ୍ଜରେ ସନ୍ଦିଗ୍ଧ ପାରା, ଗୋଡ଼ରେ ‘BAN-2024’ ଓ ‘701831’ ନମ୍ବର

ମୟୂରଭଞ୍ଜରେ ସନ୍ଦିଗ୍ଧ ପାରା, ଗୋଡ଼ରେ ‘BAN-2024’ ଓ ‘701831’ ନମ୍ବର

by Sunita Jena
0 comments

ମୟୂରଭଞ୍ଜ ଜିଲ୍ଲାର କଷିପଦା ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାରାଟିର ଗୋଡ଼ରେ ଲାଗିଥିବା ଧାତବ ରିଙ୍ଗ୍‌ରେ ‘BAN-2024’ ଏବଂ ‘701831’ ଲେଖା ଥିବାରୁ ଏହାର ଉତ୍ସ ଓ ରିଙ୍ଗ୍‌ର ଉଦ୍ଦେଶ୍ୟକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି। ବେତନଟୀ ବ୍ଲକ ଅନ୍ତର୍ଗତ କଷିପଦା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବାସିନ୍ଦା ହରିଶ ଚନ୍ଦ୍ର ପୁହାଣଙ୍କ ପରିବାର ପାରାଟିକୁ ଦେଖିଥିଲେ। ପାରାଟିର ଗୋଡ଼ରେ ଏକ ନୀଳ ରଙ୍ଗର ଧାତବ ରିଙ୍ଗ୍‌ ଥିବା ଦେଖି ତାହାକୁ ଧରି ଯାଞ୍ଚ କରାଯାଇଥିଲା। ରିଙ୍ଗ୍‌ରେ ଦୁଇଟି ଭିନ୍ନ ଚିହ୍ନ ଓ ନମ୍ବର ଖୋଦିତ ଥିବା ଜଣାପଡ଼ିଥିଲା।

ଏହା ଦେଖି ପାରାଟି ବାଂଲାଦେଶ ସହ ଜଡ଼ିତ ହୋଇପାରେ ବୋଲି ସନ୍ଦେହ କରି ପରିବାର ପକ୍ଷରୁ ବୈଶିଙ୍ଗା ଥାନାକୁ ଖବର ଦିଆଯାଇଥିଲା। ପରେ ପାରାଟିକୁ ଥାନାରେ ନେଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ପାରାଟିକୁ ଦେଖିବା ପାଇଁ ଗ୍ରାମରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ପୁଲିସ ଅଧିକାରୀମାନେ ପାରାର ଗୋଡ଼ରେ ଥିବା ରିଙ୍ଗ୍‌କୁ ଯାଞ୍ଚ କରିଛନ୍ତି। ‘BAN-2024’ ଲେଖା ଥିବାରୁ ଏହା ବାଂଲାଦେଶ ସହ ସମ୍ପର୍କିତ ହୋଇପାରେ ବୋଲି ପ୍ରାଥମିକ ଭାବେ ଆଲୋଚନା ହେଉଛି। ଏଥିରେ ଥିବା ‘2024’ କେଉଁ ସୂଚନାକୁ ଦର୍ଶାଉଛି ଏବଂ ‘701831’ ନମ୍ବରର ପ୍ରକୃତ ଅର୍ଥ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପାରାଟି ଏତେ ଦୂର ଉଡ଼ି ମୟୂରଭଞ୍ଜରେ କିପରି ପହଞ୍ଚିଲା, ରିଙ୍ଗ୍‌ଟି କେଉଁଠାରେ ଲଗାଯାଇଥିଲା ଏବଂ ଏହା ସାଧାରଣ ପରିଚୟ ଚିହ୍ନ ନା କୌଣସି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ—ଏସବୁ ଦିଗରୁ ତଦନ୍ତ କରାଯାଉଛି। ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୌତୂହଳ ସହ ଆଶଙ୍କା ମଧ୍ୟ ଦେଖାଦେଇଛି। ତେବେ କେବଳ ରିଙ୍ଗ୍‌ରେ ଥିବା ଲେଖା ଆଧାରରେ ପାରାଟିକୁ ‘ଗୁଇନ୍ଦା ପାରା’ ବୋଲି ନିଶ୍ଚିତ କରାଯାଇନାହିଁ। ପାରାର ପ୍ରକୃତ ଉତ୍ସ ଓ ରିଙ୍ଗ୍‌ର ରହସ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

You may also like

Leave a Comment