Home Odishaଉପବାଚସ୍ପତିଙ୍କ ନକଲି ଦସ୍ତଖତ କରି ବଦଳି ସୁପାରିଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଉପବାଚସ୍ପତିଙ୍କ ନକଲି ଦସ୍ତଖତ କରି ବଦଳି ସୁପାରିଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

by Gulshan Pandey
0 comments

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତ ଏବଂ ଜାଲ୍ ଲେଟରହେଡ୍ ବ୍ୟବହାର କରି ସରକାରୀ କର୍ମଚାରୀଙ୍କ ବଦଳି ସୁପାରିଶ କରିବା ଅଭିଯୋଗରେ ପୋଲିସ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ଲକ୍ଷ୍ମଣ ହେମ୍ବ୍ରମ। ସେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଗିରଫ ପରେ ତାଙ୍କୁ ପଚରାଉଚରା ପାଇଁ ଭୁବନେଶ୍ୱର ଅଣାଯାଇଛି।

ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ମୋନାଲିଶା ବେହେରାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ସେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ସେ ବର୍ତ୍ତମାନ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।

ଭୁବନେଶ୍ୱର ଜୋନ-୧ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି ଯେ, ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି। ଏହି ଜାଲିଆତି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହାର ତଦନ୍ତ ଚାଲିଛି। ତାଙ୍କ ବିରୋଧରେ ଜାଲିଆତି ଓ ପ୍ରତାରଣା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ବ୍ୟକ୍ତିଗତ ସଚିବ କ୍ୟାପିଟାଲ ଥାନାରେ ଏକ ଅଭିଯୋଗ ଦାଖଲ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।

ଅଭିଯୋଗରେ କୁହାଯାଇଥିଲା ଯେ, ଉପବାଚସ୍ପତିଙ୍କ ନାମ ଏବଂ ପଦବୀର ଦୁରୁପଯୋଗ କରାଯାଉଛି। ତାଙ୍କ ନାମରେ ଜାଲ୍ ସରକାରୀ ଚିଠି ପ୍ରସ୍ତୁତ କରି ପ୍ରଚାର କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଏକ ନକଲି ଲେଟରହେଡ୍ ପ୍ରସ୍ତୁତ କରାଯାଇଥିଲା ଏବଂ ସେଥିରେ ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ କରାଯାଇଥିଲା। ଏହି ନକଲି ଚିଠିକୁ ବ୍ୟବହାର କରି ବିଭିନ୍ନ ସରକାରୀ କର୍ମଚାରୀଙ୍କ ବଦଳି ପାଇଁ ସୁପାରିଶ କରାଯାଉଥିବା ଅଭିଯୋଗ ରହିଛି।

ପୋଲିସ ବର୍ତ୍ତମାନ ଏହି ଜାଲ୍ ଦସ୍ତାବିଜ କିଏ ପ୍ରସ୍ତୁତ କରିଥିଲା, କେଉଁମାନେ ଏହାକୁ ପ୍ରଚାର କରିଥିଲେ ଏବଂ ସମଗ୍ର ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସାମିଲ ଥିଲେ, ସେନେଇ ଖୋଳତାଡ଼ କରୁଛି।

ପୋଲିସର କହିବା ଅନୁଯାୟୀ, ତଦନ୍ତ ଏବେ ମଧ୍ୟ ଜାରି ରହିଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିପାରେ।

ଏହି ଘଟଣା ପରେ ସରକାରୀ ଦସ୍ତାବିଜର ସୁରକ୍ଷା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମର ଦୁରୁପଯୋଗକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

You may also like

Leave a Comment