ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନ ଓ ନିଯୁକ୍ତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ DGP ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଯାଇଛି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨କୁ ଧାର୍ଯ୍ୟ କରିଛନ୍ତି।
DGP ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଆବେଦନରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅଧିକାରୀଙ୍କ ତାଲିକା ଓ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ଏହି ମାମଲାରେ କୋର୍ଟଙ୍କୁ ସହାୟତା କରୁଥିବା ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନ୍ ମଧ୍ୟ ଏମ୍ପାନେଲମେଣ୍ଟ ପ୍ରକ୍ରିୟାର ପାରଦର୍ଶିତା ଓ ନିୟମ ପାଳନ ନେଇ ପ୍ରଶ୍ନ ଉଠାଇଛନ୍ତି।
ମାମଲାରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ପୂର୍ବରୁ DGP ପଦ ପାଇଁ ପ୍ରସ୍ତାବିତ ଅଧିକାରୀଙ୍କ ତାଲିକାରେ ତାଙ୍କ ନାମ ଥିବା ଦାବି କରି ସେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବାକୁ ଆବେଦନ କରିଥିଲେ। ସେ ନିଜକୁ ଏହି ମାମଲାରେ ପ୍ରଭାବିତ ପକ୍ଷ ଭାବେ ଦର୍ଶାଇ ଶୁଣାଣିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ, ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ DGP ଚୟନ ପାଇଁ ଅଧିକାରୀଙ୍କ ଏମ୍ପାନେଲମେଣ୍ଟ ପ୍ରକ୍ରିୟାକୁ ନେଇ କିଛି ପ୍ରଶ୍ନ ଉଠାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ବିଶେଷକରି ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କୁ ତାଲିକାରୁ ବାଦ ଦେବା ଏବଂ କିଛି ଅଧିକାରୀଙ୍କୁ DGP ପଦକୁ ପଦୋନ୍ନତି ଦେବାର ସମୟକୁ ନେଇ ପ୍ରଶ୍ନ ଉଠିଛି।
ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ନିଜ ପକ୍ଷ ରଖିଥିବା ବେଳେ କେନ୍ଦ୍ର ଓ UPSC ପକ୍ଷରୁ ମଧ୍ୟ ମାମଲାରେ ଯୁକ୍ତି ରହିଛି। ସୁପ୍ରିମକୋର୍ଟ ଏବେ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ କରିବେ।
