Writing
ସାଇବର ଅପରାଧର ମୁକାବିଲା ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ତଦନ୍ତକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ନ୍ୟାସନାଲ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟି (ଏନଏଫଏସୟୁ) ମଧ୍ୟରେ ଏକ ୫ ବର୍ଷିଆ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।
ଏହି ବୁଝାମଣା ମାଧ୍ୟମରେ ସାଇବର ଅପରାଧର ତଦନ୍ତ କ୍ଷମତା ବୃଦ୍ଧି ସହ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ପୋଲିସ କର୍ମଚାରୀଙ୍କୁ ଆଧୁନିକ ଜ୍ଞାନ ଓ ବୈଷୟିକ କୌଶଳ ପ୍ରଦାନ କରାଯିବ। ଅପରାଧ ତଦନ୍ତରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ମଧ୍ୟ ଏହି ସହଯୋଗ ଅଧିକ ସୁଦୃଢ଼ କରିବ।
ଯୋଜନା ଅନୁଯାୟୀ, ୨୦୨୭ ସୁଦ୍ଧା ଓଡ଼ିଶା ପୋଲିସର ୪୮୦ ଜଣ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣରେ ସାଇବର ଅପରାଧ ତଦନ୍ତ, ଡିଜିଟାଲ ପ୍ରମାଣ ସଂଗ୍ରହ, ଡାଟା ବିଶ୍ଳେଷଣ, ଡିଜିଟାଲ ଫରେନ୍ସିକ୍ସ ଓ ଅତ୍ୟାଧୁନିକ ତଦନ୍ତ ପ୍ରଣାଳୀ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ଅଧିକାରୀମାନଙ୍କ ମତରେ, ଏହି ସହଯୋଗ ଫଳରେ ରାଜ୍ୟରେ ସାଇବର ଅପରାଧ ମାମଲାର ତଦନ୍ତ ଅଧିକ ବୈଜ୍ଞାନିକ, ଦ୍ରୁତ ଓ ପ୍ରଭାବଶାଳୀ ହେବ। ସେହିପରି ଡିଜିଟାଲ ପ୍ରମାଣର ସଠିକ୍ ସଂଗ୍ରହ ଓ ବିଶ୍ଳେଷଣ ମାଧ୍ୟମରେ ଅପରାଧୀଙ୍କ ବିରୋଧରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିବାରେ ପୋଲିସକୁ ଏହା ସହାୟକ ହେବ।
ରାଜ୍ୟରେ ବଢ଼ୁଥିବା ସାଇବର ଠକେଇ ଓ ଡିଜିଟାଲ ଅପରାଧକୁ ରୋକିବା ଦିଗରେ ଏହି ବୁଝାମଣାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
