ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଅନୁମୋଦନ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
ରାଜ୍ୟରେ ସରକାରୀ ଯୋଜନା ଓ ବୃହତ୍ ପ୍ରକଳ୍ପଗୁଡ଼ିକର କାମ ନିର୍ଦ୍ଧାରିତ ସମୟରେ ଆଗେଇ ନେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ୩୦ଟି ଜିଲ୍ଲାରେ ବିଭିନ୍ନ ଯୋଜନାର ସ୍ଥିତି, ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୟରେ ଦେଖାଦେଉଥିବା ସମସ୍ୟା ନେଇ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକ ହୋଇଛି। ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଜିଲ୍ଲାସ୍ତରରେ ସରକାରଙ୍କ ଫ୍ଲାଗସିପ୍ ଯୋଜନାଗୁଡ଼ିକ କେତେଦୂର କାର୍ଯ୍ୟକାରୀ ହେଉଛି, ବୃହତ୍ ପ୍ରକଳ୍ପର ଅବସ୍ଥା, ଜମି ସମ୍ବନ୍ଧୀୟ ବାଧା, ଅନୁମୋଦନ ପ୍ରକ୍ରିୟା ଓ ନିର୍ମାଣ କାମରେ ଥିବା ସମସ୍ୟା ଉପରେ ଜିଲ୍ଲାଭିତ୍ତିକ ଆଲୋଚନା କରାଯାଇଥିଲା।
ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ ଇଏସ୍ଆଇ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଏମ୍ଏସ୍ଏମ୍ଇ ସମେତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ତଥ୍ୟ ନିଆଯାଇଥିଲା। ନଗର ଉନ୍ନୟନ ବିଭାଗର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଅନ୍ୟାନ୍ୟ ବିକାଶମୂଳକ କାମରେ ଜମି ସମସ୍ୟା ଦୂର କରିବା ଉପରେ ବିଶେଷ ଆଲୋଚନା ହୋଇଥିଲା। ଖୋର୍ଦ୍ଧା, ସମ୍ବଲପୁର ଓ କଟକ ଜିଲ୍ଲାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସହ ଜଡ଼ିତ ଜମି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ତତ୍ପରତା ଦେଖାଇବାକୁ କୁହାଯାଇଥିଲା।
ଶ୍ରମ ଓ ଇଏସ୍ଆଇ ବିଭାଗର ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ୍ ନିର୍ମାଣ ଲାଗି ଆବଶ୍ୟକ ଜମି, ଶିଶୁ ଶ୍ରମ ରୋକିବା ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସର ବୈଠକ ଏବଂ ମକ୍ ଡ୍ରିଲ୍ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗର ‘ପୋଷଣ ମାସ-୨୦୨୬’, ‘ସୁପୋଷିତ ଓଡ଼ିଶା’ ମିସନ୍ ଏବଂ ଡିଜିଟାଲ୍ ମନିଟରିଂ ବ୍ୟବସ୍ଥାର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ସ୍ୱାସ୍ଥ୍ୟ ବିଭାଗରେ ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି ଚିହ୍ନଟ, ଆୟୁଷ ମେଡିକାଲ୍ କଲେଜ୍, ‘ଆମ ହସ୍ପିଟାଲ୍’ ଯୋଜନା ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ଆଲୋଚନା ହୋଇଥିଲା। ଏହାଛଡ଼ା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। କୃଷି ବିଭାଗର ଏଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜୀକରଣ ଓ ଖରିଫ-୨୦୨୬ ଡିଜିଟାଲ୍ କ୍ରପ୍ ସର୍ଭେ କାମର ଅଗ୍ରଗତି ନେଇ ତଥ୍ୟ ନିଆଯାଇଥିଲା।
ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ଏମ୍ଏସ୍ଏମ୍ଇ ପାର୍କ, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଓ ଉଦ୍ୟୋଗୀଙ୍କ ପାଇଁ ଋଣ ସୁବିଧା ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଏମ୍ଏସ୍ଏମ୍ଇ ପାର୍କ ବିକଶିତ କରିବା ଯୋଜନା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାପାଳମାନଙ୍କୁ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜମି ଅଧିଗ୍ରହଣ, ପ୍ରକଳ୍ପ ଅନୁମୋଦନ, ନିର୍ମାଣ ଓ କାର୍ଯ୍ୟାନ୍ୱୟନରେ ଥିବା ବାଧାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୂର କରିବାକୁ କୁହାଯାଇଥିଲା। ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା ସହ ଜିଲ୍ଲାସ୍ତରରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ଜୋର ଦିଆଯାଇଥିଲା।
ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସମସ୍ତ ଜିଲ୍ଲାପାଳ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।
