ଭୁବନେଶ୍ୱର: ପୂର୍ତ୍ତ ବିଭାଗକୁ ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। ବୈଠକରେ ପୂର୍ତ୍ତ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
ବିଭିନ୍ନ ଅଞ୍ଚଳର ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି। ବିଭିନ୍ନ ଅଞ୍ଚଳର ବିକାଶମୂଳକ ଆବଶ୍ୟକତା ନେଇ ବିଧାୟକ ଓ ସାଂସଦମାନେ ପୂର୍ତ୍ତ ବିଭାଗକୁ ଦେଇଥିବା ଚିଠି ଓ ପ୍ରସ୍ତାବ ମଧ୍ୟ ବୈଠକରେ ଆଲୋଚନାର ବିଷୟ ରହିଛି।
ଜନପ୍ରତିନିଧିମାନଙ୍କ ଚିଠି ଆଧାରରେ କେଉଁ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦିଆଯିବ ଏବଂ ସେନେଇ ବିଭାଗୀୟ ସ୍ତରରେ କି ପଦକ୍ଷେପ ନିଆଯିବ, ତାହା ଉପରେ ଆଲୋଚନା ଚାଲିଛି।
ସମ୍ପୃକ୍ତ ପ୍ରସଙ୍ଗରେ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ ହୋଇଥିବା ଜଣାପଡ଼ିଛି। କମିଟିର କାର୍ଯ୍ୟକଳାପ, ଏହାର ସୁପାରିଶ ଏବଂ ଆଗାମୀ ପଦକ୍ଷେପ ନେଇ ମଧ୍ୟ ବୈଠକରେ ଆଲୋଚନା ହେଉଛି।
ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ନିର୍ମାଣ କାର୍ଯ୍ୟର ଗତି ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ଦେଖାଦେଉଥିବା ସମସ୍ୟା ନେଇ ମଧ୍ୟ ସମୀକ୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ପ୍ରକଳ୍ପରେ ବିଳମ୍ବ, ଜମି ଅଧିଗ୍ରହଣ ଓ ବିଭିନ୍ନ ପ୍ରଶାସନିକ ବାଧା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇପାରେ।
ବୈଠକ ଶେଷ ହେବା ପରେ ଜନପ୍ରତିନିଧିମାନଙ୍କ ଚିଠି ଓ ପ୍ରସ୍ତାବ ଆଧାରରେ କେଉଁ ପ୍ରକଳ୍ପକୁ ପ୍ରାଥମିକତା ମିଳିବ ଏବଂ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯିବ, ସେନେଇ ଅଧିକ ସ୍ପଷ୍ଟତା ଆସିପାରେ।
