ଭୁବନେଶ୍ୱର: ଆସନ୍ତା କିଛି ଦିନରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ସମସ୍ତ ସହରାଞ୍ଚଳକୁ ସତର୍କ କରାଯାଇଛି। ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)କୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ଦକ୍ଷିଣ ଓଡ଼ିଶାର ସହରାଞ୍ଚଳଗୁଡ଼ିକୁ ଅଧିକ ସତର୍କ ରହିବା ସହ ଜଳବନ୍ଦୀ ପ୍ରବଣ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ନିରନ୍ତର ନଜର ରଖିବାକୁ କୁହାଯାଇଛି। ବର୍ଷା ସମୟରେ ନାଗରିକଙ୍କ ସୁରକ୍ଷା ସହ ସାଧାରଣ ଜୀବନଯାପନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି।
ସମସ୍ତ ମହାନଗର ନିଗମର କମିଶନର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ରାପିଡ୍ ଆକ୍ସନ୍ ଟିମ୍କୁ ସଜାଗ ରଖିବାକୁ କୁହାଯାଇଛି। ତଳିଆ ଅଞ୍ଚଳ ଓ ଜଳବନ୍ଦୀ ପ୍ରବଣ ସ୍ଥାନରେ ଆଗୁଆ ପଦକ୍ଷେପ ନେବା ସହ ପରିସ୍ଥିତି ଉପରେ ଲଗାତାର ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସେହିପରି ଆବଶ୍ୟକତା ପଡ଼ିଲେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଜଳ ନିଷ୍କାସନ ପାଇଁ ଡି-ୱାଟରିଂ ପମ୍ପ, ଆବଶ୍ୟକ ଯନ୍ତ୍ରପାତି ଓ ପର୍ଯ୍ୟାପ୍ତ ମାନବ ସମ୍ବଳ ଆଗୁଆ ପ୍ରସ୍ତୁତ ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।
ପ୍ରବଳ ବର୍ଷା ସମୟରେ ଯେକୌଣସି ସମସ୍ୟାରେ ତୁରନ୍ତ ହସ୍ତକ୍ଷେପ ପାଇଁ କ୍ଷେତ୍ରସ୍ତରରେ ପ୍ରସ୍ତୁତି, ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟ ଏବଂ ଆବଶ୍ୟକ ସମ୍ବଳର ତୁରନ୍ତ ନିୟୋଜନ ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ଏଥିସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି SOP ଓ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗ ରଖିବା ସହ ସମ୍ପୃକ୍ତ ସମସ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି।
