Home Featuredକୋଟପାଡ଼ ଏଇଇଙ୍କ ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ, ୪୯ଟି ପ୍ଲଟ୍ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

କୋଟପାଡ଼ ଏଇଇଙ୍କ ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ, ୪୯ଟି ପ୍ଲଟ୍ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

by Gulshan Pandey
0 comments

ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କୁ ଶନିବାର ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ସହ ଜଡ଼ିତ ସାତଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ଏହି ଗିରଫଦାରୀ ହୋଇଛି।

ଭିଜିଲାନ୍ସ ତଦନ୍ତ ବେଳେ ସତ୍ୟନାରାୟଣ ସେଠୀଙ୍କ ନାମରେ ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ମୋଟ ୪୯ଟି ପ୍ଲଟ୍ ଠାବ ହୋଇଥିବାବେଳେ ସେଥିମଧ୍ୟରୁ ୧୭ଟି ବେନାମୀ ସମ୍ପତ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଛି।

ଏହାସହ ତାଙ୍କ ସହ ସଂପୃକ୍ତ ଦୁଇଟି ଫ୍ଲାଟ୍ ମଧ୍ୟ ଠାବ କରାଯାଇଛି। ସେଥିରୁ ଗୋଟିଏ ବେନାମୀ ଫ୍ଲାଟ୍ ହୋଇଥିବାବେଳେ ଅନ୍ୟଟି ଏକ ଆବାସିକ ଫ୍ଲାଟ୍। ଉଭୟ ସମ୍ପତ୍ତିର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଭିଜିଲାନ୍ସ କହିଛି ଯେ, ଚଢ଼ାଉ ବେଳେ ମିଳିଥିବା ସମ୍ପତ୍ତି ସେଠୀଙ୍କ ଜଣାଶୁଣା ଆୟ ଉତ୍ସଠାରୁ ବହୁଗୁଣ ଅଧିକ। ସରକାରୀ ଚାକିରି କରୁଥିବା ସମୟରେ ଏତେ ବଡ଼ ପରିମାଣର ସମ୍ପତ୍ତି କିପରି ସଂଗ୍ରହ ହେଲା, ତାହାର ତଦନ୍ତ ଜାରି ରହିଛି।

ଚଢ଼ାଉ ବେଳେ ବିପୁଳ ପରିମାଣର ଚଳ ସମ୍ପତ୍ତି ମଧ୍ୟ ଜବତ ହୋଇଛି। ସେଥିରେ ୯୪୦ ଗ୍ରାମ ସୁନା ଅଳଙ୍କାର, ପ୍ରାୟ ୨.୫ କିଲୋଗ୍ରାମ ରୂପା, ଏକ ବେନାମୀ ଚାରିଚକିଆ ଗାଡ଼ି ଏବଂ ୫ ଲକ୍ଷ ୪୮ ହଜାର ଟଙ୍କା ନଗଦ ରହିଛି।

ଏହାସହ ବିଭିନ୍ନ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମା ଖାତାରେ ୬୦ ଲକ୍ଷ ୯୨ ହଜାର ଟଙ୍କା ଥିବା ମଧ୍ୟ ଜଣାପଡ଼ିଛି। ତଦନ୍ତ ସମୟରେ କୋରାପୁଟ ଜିଲ୍ଲାରେ ୧୪ ଏକର ଜମି ଉପରେ ଥିବା ତିନୋଟି ଫାର୍ମହାଉସ୍‌ ମଧ୍ୟ ଠାବ କରାଯାଇଛି।

ଚଢ଼ାଉ ଶେଷ ହେବା ପରେ ଜବତ ସମ୍ପତ୍ତି ଏବଂ ଦସ୍ତାବିଜର ପ୍ରାଥମିକ ଯାଞ୍ଚ କରାଯାଇଥିଲା। ଏହାପରେ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ସତ୍ୟନାରାୟଣ ସେଠୀଙ୍କୁ ଗିରଫ କରିଛି।

ତେବେ ତଦନ୍ତ ଏଠାରେ ଶେଷ ହୋଇନାହିଁ। ସେଠୀଙ୍କ ସହ ଜଡ଼ିତ ଆଉ କୌଣସି ସମ୍ପତ୍ତି କିମ୍ବା ଆର୍ଥିକ କାରବାର ରହିଛି କି ନାହିଁ, ସେନେଇ ଭିଜିଲାନ୍ସ ଅଧିକ ଖୋଳତାଡ଼ ଜାରି ରଖିଛି।

You may also like

Leave a Comment