ଭୁବନେଶ୍ୱର, ୨୪ ଜୁନ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ର ସୁଚାରୁ ପରିଚାଳନା ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୧୩ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ ବିଶେଷ ଡ୍ୟୁଟି ଅଫିସର (ଓଏସଡି) ଭାବେ ପୁରୀରେ ନିଯୁକ୍ତ କରିଛନ୍ତି।
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ଏହି ଅଧିକାରୀମାନେ ୨୫ ଜୁନରୁ ୨୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପୁରୀରେ କାର୍ଯ୍ୟ କରିବେ। ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା, ପରିମଳ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ସେମାନେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ନିଯୁକ୍ତ ଅଧିକାରୀମାନଙ୍କୁ ୨୫ ଜୁନ ସୁଦ୍ଧା ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି।
ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ହାଉସିଂ ଓ ସହର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶୁଭାନନ୍ଦ ମହାପାତ୍ର, ଅତିରିକ୍ତ ଏସଆରସି ସୁବାସ ଚନ୍ଦ୍ର ନାଥଶର୍ମା, କ୍ରୀଡ଼ା ଓ ଯୁବ ସେବା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଅଛନ୍ତି।
ରଥଯାତ୍ରାକୁ ଦୃଷ୍ଟିରେ ରଖି ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଏହି ବିଶ୍ୱପ୍ରସିଦ୍ଧ ଉତ୍ସବରେ ସୁରକ୍ଷା ଓ ସୁବ୍ୟବସ୍ଥା ରକ୍ଷା ପାଇଁ ପ୍ରଶାସନ ପୂର୍ବ ପ୍ରସ୍ତୁତିକୁ ଜୋରଦାର କରିଛି।
