ଭୁବନେଶ୍ୱର: ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିବା ଘଟଣାରେ ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ଅରୁଣ କୁମାର ବିଶ୍ୱାଳ ଓ ସୁଜିତ କୁମାର ରାଉଳଙ୍କୁ ନିଲମ୍ବିତ କରାଯାଇଛି।
ଅରୁଣ କୁମାର ବିଶ୍ୱାଳ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ। ଜଣେ ସହକର୍ମୀ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। ଯୁବତୀଙ୍କ ପକ୍ଷରୁ ଦୁଷ୍କର୍ମ, ଅପହରଣ ଓ ହତ୍ୟା ଭଳି ଗୁରୁତର ଅଭିଯୋଗ ଅଣାଯାଇଥିଲା। ପୁଲିସ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିବା ପରେ ବିଶ୍ୱାଳଙ୍କୁ ଗିରଫ କରିଥିଲା ଏବଂ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।
ଅନ୍ୟପଟେ, କଟକ ସର୍କଲ ଜେଲ୍ର ସିନିଅର ସୁପରିନ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ମଧ୍ୟ ଏକ ମାମଲାରେ ଗିରଫ ହୋଇ ଜେଲ୍ କଷ୍ଟୋଡିରେ ରହିଛନ୍ତି। ଜେଲ୍ରୁ ଦୁଇ ଅପରାଧୀ ଖସିଯିବା ଘଟଣାକୁ ନେଇ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଗିରଫ ପରେ ତାଙ୍କୁ ଚୌଦ୍ୱାର ସର୍କଲ ଜେଲ୍କୁ ପଠାଯାଇଥିଲା।
ସରକାରୀ ନିୟମ ଅନୁସାରେ, କୌଣସି ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ହାଜତ କିମ୍ବା ଜେଲ୍ରେ ରହିଲେ ତାଙ୍କୁ ନିଲମ୍ବନ କରିବାର ବ୍ୟବସ୍ଥା ରହିଛି। ଏହି ନିୟମ ଅଧୀନରେ ଉଭୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
