ଢେଙ୍କାନାଳ: ଲଗାଣ ବର୍ଷା ଢେଙ୍କାନାଳ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାବେଳେ ରାସ୍ତାଘାଟ ନଦୀରେ ପରିଣତ ହୋଇଛି। ବନ୍ୟାସଦୃଶ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରବଳ ବର୍ଷା ଓ ସାପୁଆ ନଦୀରେ ବଢ଼ି ଆସିବାରୁ ଢେଙ୍କାନାଳ ସଦର ବ୍ଲକର ଭାପୁର ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଚାଲିଯିବା ସହ ରାସ୍ତା ଧୋଇ ହୋଇ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ସାପୁଆ ନଦୀର ବଢ଼ି ପାଣି ଧୀରପାଟଣ, କାମଧେନୁକୋଟ, ବାଲିଅମ୍ବା, ସରକପାଟଣା, ଅଉଖମା, କାକୁଡିଭାଗ ଓ ହରିଡାପଶି ସମେତ ଅନେକ ଗ୍ରାମରେ ପଶିଯାଇଛି। ଫଳରେ ଘରବାଡ଼ି, ଚାଷଜମି ଓ ଗ୍ରାମୀଣ ରାସ୍ତା ଜଳମଗ୍ନ ହୋଇଥିବାବେଳେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପରିସ୍ଥିତି ଗମ୍ଭୀର ଥିବା ସତ୍ତ୍ୱେ କେତେକ ସ୍ଥାନରେ ଲୋକମାନେ ବିପଦପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଥିବା ଦେଖାଯାଇଛି। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ କ୍ଷତିଗ୍ରସ୍ତ ରାସ୍ତାର ମରାମତି, ବିପଦପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
ଏପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନ ଯିବା, ଜଳମଗ୍ନ ଓ କ୍ଷତିଗ୍ରସ୍ତ ରାସ୍ତା ଦେଇ ଯାତାୟାତ ନ କରିବା ଏବଂ ପାଣିପାଗ ବିଭାଗର ସତର୍କବାଣୀକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
