ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଉଭୟ କେନ୍ଦ୍ରମନ୍ତ୍ରୀ ଦିନିକିଆ ଗସ୍ତରେ ଆସି କୋରାପୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳକୁ ଯିବେ। ସେଠାରେ ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିସର ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
ସୁନାବେଡ଼ାର HAL ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରର ଏକ ପ୍ରମୁଖ ପ୍ରତିଷ୍ଠାନ। କେନ୍ଦ୍ରମନ୍ତ୍ରୀ ଦ୍ୱୟଙ୍କ ଗସ୍ତ ସମୟରେ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟ, ଉତ୍ପାଦନ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ଏବଂ ସମୀକ୍ଷା ହେବା ନେଇ ସୂଚନା ମିଳିଛି। ଏହି ଗସ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀ ଦ୍ୱୟଙ୍କ ଗସ୍ତକୁ ନଜରରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁନାବେଡ଼ା ସମେତ ଗସ୍ତର ସମ୍ଭାବ୍ୟ ରୁଟ୍ ଓ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଭିଆଇପି ଗସ୍ତକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଅମିତ ଶାହ ଓ ରାଜନାଥ ସିଂହଙ୍କ ଓଡ଼ିଶା ଗସ୍ତ ରାଜ୍ୟର ପ୍ରତିରକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ବହନ କରୁଛି।
