ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ ବା SEBC ନାଗରିକଙ୍କ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ପ୍ରତିନିଧିତ୍ୱ ଏବଂ ରାଜନୈତିକ ପଛୁଆପଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର କମିଶନ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି ପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଏହି କମିଶନର ଅଧ୍ୟକ୍ଷ ହେବେ। ଅବସରପ୍ରାପ୍ତ IAS ଅଧିକାରୀ ବିଜୟ କୁମାର ପୃଷ୍ଟି ସଦସ୍ୟ ଭାବେ ଏବଂ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର ସଦସ୍ୟ-ସଚିବ ଭାବେ କାର୍ଯ୍ୟ କରିବେ।
ଏହି କମିଶନ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପଞ୍ଚାୟତ ଏବଂ ପୌର ସଂସ୍ଥାଗୁଡ଼ିକରେ SEBC ବର୍ଗର ଲୋକଙ୍କ ସଂଖ୍ୟା କେତେ, ସେହି ଅଞ୍ଚଳର ମୋଟ ଜନସଂଖ୍ୟା ତୁଳନାରେ ସେମାନଙ୍କ ଅନୁପାତ କେତେ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ କେମିତି ରହିଛି—ସେସବୁ ଦିଗରେ ଅନୁଧ୍ୟାନ କରିବ।
ଏହା ସହିତ ଜନସଂଖ୍ୟା ଅନୁପାତ ତୁଳନାରେ SEBC ବର୍ଗ ରାଜନୈତିକ ଭାବେ କେତେ ପଛୁଆ, ସେହି ପଛୁଆପଣର ସ୍ୱରୂପ ଓ ତାହାର ପ୍ରଭାବ ମଧ୍ୟ କମିଶନ ଖତିଆନ କରିବ। ଏହି ଅଧ୍ୟୟନ ଆଧାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ SEBC ନାଗରିକଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ଓ ଅଧିକାର ସୁନିଶ୍ଚିତ କରିବା ଦିଗରେ ସରକାର ପରବର୍ତ୍ତୀ ପଦକ୍ଷେପ ନେଇପାରିବେ।
ସ୍ଥାନୀୟ ସଂସ୍ଥାରେ ପଛୁଆ ବର୍ଗଙ୍କ ରାଜନୈତିକ ପଛୁଆପଣ ସମ୍ପର୍କିତ ତଥ୍ୟଭିତ୍ତିକ ଅଧ୍ୟୟନ ନେଇ ପୂର୍ବରୁ ଆଇନଗତ ପ୍ରସଙ୍ଗ ଉଠିଥିଲା। ୨୦୨୨ର ସ୍ଥାନୀୟ ନିର୍ବାଚନରେ ଆବଶ୍ୟକ ତଥ୍ୟ ଉପଲବ୍ଧ ନଥିବାରୁ SEBC ସଂରକ୍ଷଣ ଲାଗୁ ହୋଇପାରିନଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି। ନୂଆ କମିଶନ ଗଠନକୁ ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ଏହା ପୂର୍ବରୁ ରାଜ୍ୟ ସରକାର SEBC ଛାତ୍ରଛାତ୍ରୀଙ୍କ ପାଇଁ ଇଞ୍ଜିନିୟରିଂ, ମେଡିକାଲ ସମେତ ବୃତ୍ତିଗତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ।
