ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ପ୍ରାଥମିକତା ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ବନ୍ୟା ପ୍ରଭାବିତ ନଳକୂପ ଓ ପାଇପ୍ ଜଳଯୋଗାଣ (PWS) ପ୍ରକଳ୍ପଗୁଡ଼ିକର ବିଶୋଧନ, ମରାମତି ଓ ବିକଳ୍ପ ପାନୀୟ ଜଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି।
ଜୁଲାଇ ୩୧ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୧୩,୬୬୨ଟି ନଳକୂପ ମଧ୍ୟରୁ ୬,୪୯୧ଟି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୨,୭୧୦ଟିର ବିଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି ୬୪୨ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୫୭ଟି ପ୍ରଭାବିତ ହୋଇଥିବା ବେଳେ ୧୦୧ଟି ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ବିଶୋଧନ କାର୍ଯ୍ୟ ଶେଷ ହୋଇଛି।
ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଉପରେ ସ୍ୱତନ୍ତ୍ର ଗୁରୁତ୍ୱ
ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି।
- ଭଦ୍ରକ: ୩,୪୧୧ଟି ନଳକୂପ ପ୍ରଭାବିତ, ୧,୩୧୧ଟି ବିଶୋଧନ କରାଯାଇଛି।
- ବାଲେଶ୍ୱର: ୨,୧୯୧ଟି ନଳକୂପ ପ୍ରଭାବିତ, ୫୪୫ଟି ବିଶୋଧନ କରାଯାଇଛି। ଏହାଛଡ଼ା ୭୫ଟି ପ୍ରଭାବିତ PWS ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ବିଶୋଧନ ସମ୍ପନ୍ନ ହୋଇଛି।
- ଯାଜପୁର: ୫୧୧ଟି ନଳକୂପ ପ୍ରଭାବିତ, ୧୨୨ଟି ବିଶୋଧନ କରାଯାଇଛି।
ବିକଳ୍ପ ପାନୀୟ ଜଳ ଯୋଗାଣ
ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ବିଭାଗ ପକ୍ଷରୁ—
- ୪୭ଟି ଡିଜି ସେଟ୍
- ୧୦ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ (MTU)
- ୩୭ଟି ପାଣି ଟ୍ୟାଙ୍କର
- ୩୫ଟି ସିନ୍ଥେଟିକ୍ ଟ୍ୟାଙ୍କ ସଂଯୁକ୍ତ ଗାଡ଼ି/ଟ୍ରାକ୍ଟର
ମୁତୟନ କରାଯାଇଛି।
ଏପର୍ଯ୍ୟନ୍ତ ୧,୯୨,୨୩୫ଟି ପାଣି ବୋତଲ ଓ ପାଉଚ୍ ବଣ୍ଟନ କରାଯାଇଥିବା ବେଳେ ଆବଶ୍ୟକତା ପଡ଼ିଲେ ବ୍ୟବହାର ପାଇଁ ୪,୬୫,୦୦୦ଟି ଅତିରିକ୍ତ ବୋତଲ ମହଜୁଦ ରହିଛି। ଜଳ ଉତ୍ସର ବିଶୋଧନ ପାଇଁ ୪,୪୨୦ ବ୍ୟାଗ୍ ବ୍ଲିଚିଂ ପାଉଡର ମଧ୍ୟ ଜିଲ୍ଲାଗୁଡ଼ିକରେ ଉପଲବ୍ଧ କରାଯାଇଛି।
୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ପାନୀୟ ଜଳ ପରିସ୍ଥିତିର ନିରନ୍ତର ନଜରଦାରି ପାଇଁ ଭୁବନେଶ୍ୱରସ୍ଥିତ RWS&S ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪×୭ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି। ସମସ୍ତ ଜିଲ୍ଲାରେ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ଯାହା ମାଧ୍ୟମରେ ପାନୀୟ ଜଳ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଉଛି।
ରାଜ୍ୟ କଣ୍ଟ୍ରୋଲ ରୁମ୍ ହେଲ୍ପଲାଇନ୍ ନମ୍ବର ୦୬୭୪-୨୩୯୧୨୦୩ ଜାରି କରାଯାଇଛି।
ବିଶୋଧନ ପରେ ହିଁ ବ୍ୟବହାର
ବିଭାଗ ସ୍ପଷ୍ଟ କରିଛି ଯେ ବନ୍ୟା ପ୍ରଭାବିତ କୌଣସି ପାନୀୟ ଜଳ ଉତ୍ସକୁ ବିଶୋଧନ ନକରି ବ୍ୟବହାର କରାଯିବ ନାହିଁ। ଯେଉଁଠି ତୁରନ୍ତ ପୁନରୁଦ୍ଧାର ସମ୍ଭବ ନୁହେଁ, ସେଠାରେ ଟ୍ୟାଙ୍କର, ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍, ସିନ୍ଥେଟିକ୍ ଟ୍ୟାଙ୍କ ଓ ପ୍ୟାକେଜ୍ଡ ପାନୀୟ ଜଳ ମାଧ୍ୟମରେ ଲୋକଙ୍କୁ ସୁରକ୍ଷିତ ପାଣି ଯୋଗାଇ ଦିଆଯାଉଛି।
ବିଭାଗ କହିଛି ଯେ ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ମଧ୍ୟ ପ୍ରତ୍ୟେକ ପ୍ରଭାବିତ ଅଞ୍ଚଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି।
