Home Featuredବାସହୀନ ପରିବାରଙ୍କୁ ୪ ଡେସିମିଲ ଜମି, ‘ବସୁନ୍ଧରା’ ଯୋଜନାରେ ଆଗକୁ ବଢ଼ୁଛି ପ୍ରକ୍ରିୟା

ବାସହୀନ ପରିବାରଙ୍କୁ ୪ ଡେସିମିଲ ଜମି, ‘ବସୁନ୍ଧରା’ ଯୋଜନାରେ ଆଗକୁ ବଢ଼ୁଛି ପ୍ରକ୍ରିୟା

by Sunita Jena
0 comments

ଜମି ନଥିବା କାରଣରୁ ଅନେକ ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନିର୍ମାଣର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ‘ବସୁନ୍ଧରା’ ଯୋଜନା ମାଧ୍ୟମରେ ଘରବାରି ନଥିବା ପରିବାରଙ୍କୁ ଜମି ଯୋଗାଇ ଦେଉଛନ୍ତି। ଯୋଗ୍ୟ ପରିବାରଙ୍କୁ ୪ ଡେସିମିଲ ଲେଖାଏଁ ଜମି ଦେବାର ବ୍ୟବସ୍ଥା ରହିଛି। ତେବେ ଜମି ମିଳୁଥିଲେ ମଧ୍ୟ କିଛି ହିତାଧିକାରୀ ଏହାକୁ ଗ୍ରହଣ କରି ଘର ନିର୍ମାଣ କରିବାକୁ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି। ଗାଁଠାରୁ ଦୂର, ନଦୀକୂଳ କିମ୍ବା ପାହାଡ଼ ତଳ ଭଳି ସ୍ଥାନରେ ଜମି ମିଳୁଥିବାରୁ ଅନେକ ପରିବାର ସେଠାରେ ବସବାସ କରିବାକୁ ପସନ୍ଦ କରୁନାହାନ୍ତି। ଫଳରେ ଜମି ମିଳିବା ପରେ ମଧ୍ୟ ଦୀର୍ଘ ସମୟ ଧରି ଘର ନିର୍ମାଣ ହେଉନଥିବା ସମସ୍ୟା ସାମ୍ନାକୁ ଆସିଛି।

ରାଜସ୍ୱ ବିଭାଗର ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୪ରେ ପ୍ରାରମ୍ଭିକ ସର୍ଭେରେ ୪୨,୯୧୫ ଜଣ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଯାଞ୍ଚ ପରେ ୩୩,୦୮୨ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩୦,୬୫୩ ଜଣଙ୍କୁ ଜମି ଆବଣ୍ଟନ କରାଯାଇଛି। ସେହିପରି ୨୦୨୫ର ପ୍ରାରମ୍ଭିକ ତଥ୍ୟରେ ୫୮,୬୨୦ ଜଣ ଘରବାରିହୀନ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଥିଲା। ଯାଞ୍ଚ ପରେ ୧୧,୮୨୭ ଜଣ ଯୋଗ୍ୟ ହୋଇଥିଲେ। ସେଥିରୁ ୩,୫୯୮ ଜଣଙ୍କୁ ଜମି ଦିଆଯାଇଥିବା ବେଳେ ଆଉ ୮,୨୨୯ ଜଣଙ୍କୁ ଜମି ଦେବା ପ୍ରକ୍ରିୟା ଜାରି ରହିଛି।

ଦୁଇ ବର୍ଷର ତଥ୍ୟକୁ ମିଶାଇ ଦେଖିଲେ ପ୍ରାରମ୍ଭିକ ସର୍ଭେରେ ମୋଟ ୧,୦୧,୫୩୫ ଜଣ ଘରବାରିହୀନ ଭାବେ ଚିହ୍ନଟ ହୋଇଥିଲେ। କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ୪୪,୯୦୯ ଜଣ ଯୋଗ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪,୨୫୧ ଜଣଙ୍କୁ ଏପର୍ଯ୍ୟନ୍ତ ଜମି ମିଳିଛି। ଅବଶିଷ୍ଟ ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ଦେବାକୁ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ, ‘ବସୁନ୍ଧରା’ ଯୋଜନାର ଯୋଗ୍ୟତା ମାନଦଣ୍ଡକୁ ନେଇ ମଧ୍ୟ ଆଲୋଚନା ହୋଇଛି। ବର୍ତ୍ତମାନ ପରିବାରର ବାର୍ଷିକ ଆୟ ସୀମା ୧ ଲକ୍ଷ ଟଙ୍କା ଥିବାରୁ କିଛି ଯୋଗ୍ୟ ପରିବାର ଏହାର ଲାଭ ପାଇପାରୁନଥିବା ମତ ପ୍ରକାଶ ପାଇଛି। ତେଣୁ ଆୟ ସୀମାକୁ କୋହଳ କରିବା ନେଇ ସରକାର ବିଚାର କରୁଥିବା ଜଣାପଡ଼ିଛି।

ଏବେ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ହିତାଧିକାରୀଙ୍କୁ ଏଭଳି ସ୍ଥାନରେ ଜମି ଦେବା, ଯେଉଁଠାରେ ସେମାନେ ସହଜରେ ଘର କରି ବସବାସ କରିପାରିବେ। ଅନ୍ୟ ରାଜ୍ୟଗୁଡ଼ିକରେ ଘରବାରିହୀନଙ୍କୁ ପସନ୍ଦର ସ୍ଥାନରେ ଘରୋଇ ଜମି କିଣିବା ପାଇଁ ଆର୍ଥିକ ସହାୟତା ଦେବା ଭଳି ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଓଡ଼ିଶାରେ ମଧ୍ୟ ‘ବସୁନ୍ଧରା’ ଯୋଜନାକୁ ଆହୁରି ପ୍ରଭାବଶାଳୀ କରିବା ସହ ଅଧିକ ଯୋଗ୍ୟ ପରିବାରଙ୍କୁ ଏହାର ଲାଭ ଦେବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

You may also like

Leave a Comment