Home Featuredସାରା ଓଡ଼ିଶାରେ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଆଗକୁ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା

ସାରା ଓଡ଼ିଶାରେ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଆଗକୁ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା

by Gulshan Pandey
0 comments

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସମଗ୍ର ଓଡ଼ିଶାକୁ ସ୍ପର୍ଶ କରିଛି। ତେବେ ମୌସୁମୀ ବାୟୁର ଦୁର୍ବଳ ସ୍ଥିତି ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ଏପର୍ଯ୍ୟନ୍ତ ସନ୍ତୋଷଜନକ ହୋଇନାହିଁ। ଗତ ୧୦ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ଆଗାମୀ ମାସଗୁଡ଼ିକରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ, ଜୁନ୍ ମାସର ତଥ୍ୟ ଆଧାରରେ ପ୍ରସ୍ତୁତ ଆଇଆରଆଇ-ସିପିସି ଗ୍ଲୋବାଲ୍ ଆକଳନ ଅନୁଯାୟୀ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାର ବିଶେଷକରି ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହେବାର ୪୫ରୁ ୫୫ ପ୍ରତିଶତ ସମ୍ଭାବନା ରହିଛି।

ସେହିପରି, ୨୦୨୬ ମସିହାର ଅବଶିଷ୍ଟ ସମୟରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ୬୦ରୁ ୭୦ ପ୍ରତିଶତ ସମ୍ଭାବନା ଥିବା ଆକଳନ କରାଯାଇଛି। ଫଳରେ ଚଳିତ ବର୍ଷ ରାଜ୍ୟବାସୀ ଅଧିକ ଗରମ ଅନୁଭବ କରିପାରନ୍ତି। ଏହାସହ ବର୍ଷାର ଅନିୟମିତତା କୃଷି କ୍ଷେତ୍ର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି।

ନାସା, ବିଶ୍ୱର ବିଭିନ୍ନ ପାଣିପାଗ ମଡେଲ୍ ଏବଂ ଅଷ୍ଟ୍ରେଲିଆର ବ୍ୟୁରୋ ଅଫ୍ ମେଟେରୋଲୋଜିର ଆକଳନ ଅନୁଯାୟୀ, ୨୦୨୬ ମସିହାର ଦ୍ୱିତୀୟାର୍ଦ୍ଧରେ ଏକ ଦୁର୍ବଳ ଏଲ୍-ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଲ୍-ନିନୋ ପ୍ରଭାବରେ ଦୀର୍ଘ ସମୟ ଧରି ବର୍ଷା ନ ହେବା, ତାପମାତ୍ରା ବୃଦ୍ଧି ଓ ପାଗରେ ଅସ୍ଥିରତା ଦେଖାଯାଇପାରେ।

ତେବେ ମୌସୁମୀ ବାୟୁ ସାରା ରାଜ୍ୟକୁ ସ୍ପର୍ଶ କରିଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଥିବାବେଳେ, ଆଗାମୀ ଦିନରେ ବର୍ଷାର ପରିମାଣ ଓ ବିତରଣ ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment