Home Odishaବସ୍ତିବାସିନ୍ଦାଙ୍କ ସ୍ୱପ୍ନ ହେଲା ସାକାର: ୧,୬୦୮ ପରିବାରକୁ ନୂଆ ଘର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ବସ୍ତିବାସିନ୍ଦାଙ୍କ ସ୍ୱପ୍ନ ହେଲା ସାକାର: ୧,୬୦୮ ପରିବାରକୁ ନୂଆ ଘର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

by Akshay Maharana
0 comments

ଭୁବନେଶ୍ୱରର ଘାଟିକିଆ ଓ ଗାଡ଼କଣରେ ଦୁଇ ବୃହତ୍ ଆବାସିକ ପ୍ରକଳ୍ପର ଲୋକାର୍ପଣ; ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଉତ୍ସର୍ଗ, ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଦୀର୍ଘଦିନ ଧରି ନିଜର ଏକ ପକ୍କା ଘର ପାଇଁ ସ୍ୱପ୍ନ ଦେଖୁଥିବା ଭୁବନେଶ୍ୱରର ଗରିବ ଓ ବସ୍ତିବାସିନ୍ଦା ପରିବାରଙ୍କ ପାଇଁ ଖୁସି ଖବର। ରାଜଧାନୀରେ ୧,୬୦୮ଟି ସୁଲଭ ଆବାସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନାମକ ଦୁଇଟି ବୃହତ୍ ଆବାସିକ ପ୍ରକଳ୍ପର ଲୋକାର୍ପଣ ସହ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନ କରାଯାଇଛି। ଏହାସହ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ପକ୍ଷରୁ ଗାଡ଼କଣରେ ୬ ଏକରରୁ ଅଧିକ ଜମିରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ୬୮୦ଟି ଆବାସ ନିର୍ମାଣ କରାଯାଇଛି। ସେହିପରି ଘାଟିକିଆରେ ୫ ଏକରରୁ ଅଧିକ ଜମିରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ୯୨୮ଟି ଆବାସ ନିର୍ମିତ ହୋଇଛି। ଦୁଇ ପ୍ରକଳ୍ପ ମାଧ୍ୟମରେ ମୋଟ ୧,୬୦୮ଟି ପରିବାର ଉପକୃତ ହେବେ।

ଏହାବ୍ୟତୀତ ବୁଦ୍ଧବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ଆଉ ୯୬୨ଟି ପରିବାରର ଗୃହପ୍ରବେଶ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ମୁଣ୍ଡ ଉପରେ ଛାତ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସୁରକ୍ଷିତ ଓ ସମ୍ମାନଜନକ ଆବାସ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।

ସେ କହିଛନ୍ତି ଯେ, ସରକାର ଏପରି ଏକ ଭୁବନେଶ୍ୱର ଗଢ଼ିବାକୁ ଚାହୁଁଛନ୍ତି, ଯେଉଁଠାରେ ଗରିବ ପରିବାର ସମ୍ମାନର ସହ ରହିପାରିବେ, ଶ୍ରମିକମାନେ ସୁଲଭ ଆବାସ ପାଇପାରିବେ, ଯୁବପିଢ଼ି ନିଜ ପ୍ରତିଭାର ବିକାଶ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ଏକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ଓଡ଼ିଶାରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ୫ ଲକ୍ଷ ଘର ଯୋଗାଇଦେବାର ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସହରରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କ ପାଇଁ ମଧ୍ୟ ନିଆଯାଇଛି ପଦକ୍ଷେପ। ‘PMAY-Urban BANDHU’ ଯୋଜନା ଅଧୀନରେ ଗାଡ଼କଣଠାରେ ଏକ ନୂତନ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ସୁରକ୍ଷିତ ଆବାସ ଯୋଗାଇଦେବା। ଏହାଦ୍ୱାରା ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରମାନଙ୍କ ଆବାସ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଆବାସ ସୁବିଧା ସହ ରାଜଧାନୀର କ୍ରୀଡ଼ା ଭିତ୍ତିଭୂମିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପିଲାମାନଙ୍କ କ୍ରୀଡ଼ା ପ୍ରତିଭାର ବିକାଶ, ଯୁବପିଢ଼ିଙ୍କ ଶାରୀରିକ ସୁସ୍ଥତା ଏବଂ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଦୃଷ୍ଟିରେ ରଖି BDA ପକ୍ଷରୁ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ବିକଶିତ କରାଯାଇଛି।

ଏହି ଖେଳପଡ଼ିଆଗୁଡ଼ିକ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲଠାରେ ରହିଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘାଟିକିଆର ନୀଳକଣ୍ଠେଶ୍ୱର ନିବାସର ହିତାଧିକାରୀ ଲକ୍ଷ୍ମୀଧର ସେଠୀ, ନଇମୁଦ୍ଦିନ ଖାନ୍, ରାମଚନ୍ଦ୍ର ସେଠୀ ଓ ରସିକ ଖଣ୍ଡାୟତରାୟଙ୍କୁ ବାସଗୃହ ଆବଣ୍ଟନ କରିଥିଲେ। ସେହିପରି ଗାଡ଼କଣର ମୁକ୍ତେଶ୍ୱର ରେସିଡେନ୍ସିର ନିର୍ମଳା ବାରିକ, ଶଶ୍ମିତା ପାତ୍ର, ରୂପା ସାହୁ ଓ ଦ୍ରୌପଦୀ ଦେବୀଙ୍କୁ ମଧ୍ୟ ଗୃହ ଆବଣ୍ଟନ କରାଯାଇଥିଲା।

ଏଥିସହ ବୁଦ୍ଧବିହାରର ପାଞ୍ଚଜଣ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାରରୁ ୧ ଲକ୍ଷ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ସହାୟତା ରାଶି ବିତରଣ କରାଯାଇଥିଲା। ଏହି ଋଣ ସହାୟତା ମାଧ୍ୟମରେ ହିତାଧିକାରୀମାନେ ନିଜ ଅଂଶଧନ ପରିଶୋଧ କରି ଘରର ମାଲିକ ହୋଇପାରିବେ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ଆବାସିକ ପ୍ରକଳ୍ପଗୁଡ଼ିକ ବସ୍ତିବାସିନ୍ଦାଙ୍କୁ ଏକ ନୂଆ ପରିଚୟ ଦେବ। ସୁଲଭ ମୂଲ୍ୟରେ ଉପଯୁକ୍ତ ଘର ଓ ସ୍ଥାୟୀ ଠିକଣା ମିଳିବା ଦ୍ୱାରା ସେମାନଙ୍କ ସାମାଜିକ ପ୍ରତିଷ୍ଠା ଓ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଥିଲେ ଯେ, ରାଜଧାନୀରେ ନିଜର ଏକ ଘର ହେବା ଅନେକ ଗରିବ ପରିବାରଙ୍କ ପାଇଁ ବଡ଼ ସ୍ୱପ୍ନ। ଏହି ପ୍ରକଳ୍ପ ମାଧ୍ୟମରେ ସେହି ସ୍ୱପ୍ନ ପୂରଣ ହେଉଛି।

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଗୁରୁତ୍ୱ ଉପରେ ମତ ରଖିଥିଲେ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାକୁ ରାଜଧାନୀବାସୀଙ୍କ ପାଇଁ ପୂଜା ଭେଟି ବୋଲି ଅଭିହିତ କରିଥିଲେ।

କାର୍ଯ୍ୟକ୍ରମରେ BDAର ଉପାଧ୍ୟକ୍ଷ ତଥା BMC କମିଶନର ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିବା ବେଳେ BDA ସଚିବ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

କେବଳ ମୁଣ୍ଡ ଉପରେ ଛାତ ନୁହେଁ, ବରଂ ସୁରକ୍ଷିତ ଆବାସ, ଉନ୍ନତ ଜୀବନଶୈଳୀ ଓ ସୁସ୍ଥ ପରିବେଶ ଯୋଗାଇଦେବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।

You may also like

Leave a Comment