ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାକୁ ବିଶ୍ୱସ୍ତରୀୟ ଗ୍ରୀନ୍ ଏନର୍ଜି ହବ୍ରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜାପାନର ପ୍ରମୁଖ ଶିଳ୍ପ ସଂସ୍ଥା ACME ଗ୍ରୁପ୍ ଓ IHI କର୍ପୋରେସନ୍ ସହ ଓଡ଼ିଶା ସରକାର ଏକ ସହଯୋଗ ପତ୍ର (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ପାରାଦୀପ ଓ ଗୋପାଳପୁରରେ ମୋଟ ୩ଟି ଗ୍ରୀନ୍ ଏନର୍ଜି ପ୍ରକଳ୍ପ ସ୍ଥାପନ କରାଯିବ।
ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୬୭,୦୦୦ କୋଟି ଟଙ୍କା ନିବେଶ ହେବା ସହ ୭,୬୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଲୋକସେବା ଭବନରେ ଜାପାନୀ ବ୍ୟବସାୟିକ ପ୍ରତିନିଧିମଣ୍ଡଳଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଉପରେ ଆଧାରିତ ହେବ। ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ରାଜ୍ୟକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଚୁକ୍ତି ଅନୁଯାୟୀ ଗୋପାଳପୁରରେ ୨୧,୦୦୦ କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଓ ଫ୍ଲୋଟିଂ ଟର୍ମିନାଲ୍ ନିର୍ମାଣ ହେବ। ସେହିପରି ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍ ଆମୋନିଆ ଏବଂ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ସ୍ଥାପନ କରାଯିବ।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୨ଟି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିସାରିଛନ୍ତି। ଏହାଦ୍ୱାରା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଓ ୩୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ କେନ୍ଦ୍ର କରି ଦୁଇଟି ଗ୍ରୀନ୍ ଇଣ୍ଡଷ୍ଟ୍ରିଆଲ୍ କରିଡର ମଧ୍ୟ ବିକଶିତ କରାଯାଉଛି।
ବୈଠକରେ IHI କର୍ପୋରେସନ୍, Mitsubishi Gas Chemical, ACME Group ସମେତ ବିଭିନ୍ନ ଜାପାନୀ କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ସେମାନେ ଓଡ଼ିଶାର ନିବେଶ ଅନୁକୂଳ ପରିବେଶ ଓ ସବୁଜ ଶକ୍ତି ନୀତିର ପ୍ରଶଂସା କରିବା ସହ ରାଜ୍ୟରେ ଦୀର୍ଘମିଆଦି ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ସରକାରଙ୍କ ମତାନୁସାରେ, ଏହି ସହଭାଗିତା କେବଳ ଗ୍ରୀନ୍ ଏନର୍ଜି କ୍ଷେତ୍ରକୁ ନୂଆ ଦିଗ ଦେବ ନୁହେଁ, ବରଂ ଓଡ଼ିଶାକୁ ଦେଶର ଅଗ୍ରଣୀ ଗ୍ରୀନ୍ ଇଣ୍ଡଷ୍ଟ୍ରିଆଲ୍ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବ।

