Home » Blog » ଓଡ଼ିଶାକୁ କେମିକାଲ୍ ଓ ପେଟ୍ରୋକେମିକାଲ୍ସ ହବ୍ କରିବାକୁ ଉଦ୍ୟମ, ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ କେମିକାଲ୍ ଓ ପେଟ୍ରୋକେମିକାଲ୍ସ ହବ୍ କରିବାକୁ ଉଦ୍ୟମ, ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

by Lokanath Panigrahi
0 comments

୨୦ରୁ ଅଧିକ ପ୍ରମୁଖ ଶିଳ୍ପ ସଂସ୍ଥାର ମୁଖ୍ୟଙ୍କ ସହ କରିବେ ଆଲୋଚନା | ୧.୯୩ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ସମ୍ଭାବନା

ଭୁବନେଶ୍ୱର, ଅକ୍ଟୋବର ୨୨: ଓଡ଼ିଶାକୁ ଦେଶର ଏକ ପ୍ରମୁଖ କେମିକାଲ୍ ଓ ପେଟ୍ରୋକେମିକାଲ୍ସ ହବ୍ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ନିବେଶ ଆକର୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି ଉଦ୍ଦେଶ୍ୟରେ ମୁମ୍ବାଇରେ ଅକ୍ଟୋବର ୨୨ ଓ ୨୩ ତାରିଖରେ ଆୟୋଜିତ ହେଉଥିବା ‘ଇଣ୍ଡିଆ କେମ୍ ୨୦୨୬’ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ସମୟରେ ସେ ଦେଶ ଓ ବିଦେଶର ପ୍ରମୁଖ ଶିଳ୍ପପତି ଏବଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ।

ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୨ରେ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଯୋଗଦେବା ସହ ହାଇ-ପ୍ରୋଫାଇଲ୍ ସିଇଓ ରାଉଣ୍ଡଟେବୁଲ୍ ବୈଠକରେ ଭାଗନେବେ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ୨୦ରୁ ଅଧିକ ପ୍ରମୁଖ ଶିଳ୍ପ ସଂସ୍ଥାର ମୁଖ୍ୟଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିରେ ଡାଉନ୍‌ଷ୍ଟ୍ରିମ୍ ଉତ୍ପାଦନ, ନୂତନ ଶିଳ୍ପ ପ୍ରକଳ୍ପ ସ୍ଥାପନ ଏବଂ ରାଜ୍ୟରେ ଶିଳ୍ପ ସମ୍ପ୍ରସାରଣ ଉପରେ ଆଲୋଚନା ହେବ। ଅକ୍ଟୋବର ୨୩ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ।

କୋଇଲା ଗ୍ୟାସୀକରଣ ଓ କେମିକାଲ୍ ପାର୍କ ଉପରେ ଫୋକସ୍

ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ପ୍ରମୁଖ ଆକର୍ଷଣ ହେବ କୋଇଲା ଗ୍ୟାସୀକରଣ ପ୍ରକଳ୍ପ। ଏହା ସହିତ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପରେ ନିବେଶ ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ। ଏହି କ୍ଷେତ୍ରରେ ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହ ନୂତନ ଶିଳ୍ପ ସୁଯୋଗ ସୃଷ୍ଟି ପାଇଁ ଏକ ବୃହତ୍ ସ୍ୱତନ୍ତ୍ର କେମିକାଲ୍ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ମଧ୍ୟ ଘୋଷଣା ହୋଇପାରେ।

ଖଣିଜ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଏବଂ ଅନୁକୂଳ ଶିଳ୍ପ ନୀତି ଓଡ଼ିଶାକୁ ଏହି କ୍ଷେତ୍ରରେ ନିବେଶର ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ କରିବାରେ ସହାୟକ ହୋଇପାରେ। ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟ ଦୀର୍ଘଦିନ ଧରି ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପରେ ଆଗୁଆ ଥିବାବେଳେ, ଏହି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଓଡ଼ିଶା ଉଦ୍ୟମ ଚଳାଇଛି।

୧.୯୩ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ୫୬ଟି କମ୍ପାନୀକୁ ଆକର୍ଷିତ କରିଛି। ଏହି କମ୍ପାନୀଗୁଡ଼ିକ ପକ୍ଷରୁ ମୋଟ ୧,୯୩,୦୮୭.୯୪ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ରହିଥିବାବେଳେ, ଏହା ମାଧ୍ୟମରେ ୧,୧୨,୩୨୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।

ସେହିପରି, ଏହି କ୍ଷେତ୍ରରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ହୋଇସାରିଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ନିବେଶ ମୂଲ୍ୟ ୬୦,୮୨୫.୩୪ କୋଟି ଟଙ୍କା ହୋଇଥିବାବେଳେ, ଏଥିରୁ ୩୫,୩୫୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।

ନିବେଶ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ

ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ରାଜ୍ୟର ଶିଳ୍ପ ସମ୍ଭାବନାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରିବାର ଏକ ସୁଯୋଗ। ଏହା ମାଧ୍ୟମରେ ନୂତନ ନିବେଶକଙ୍କ ସହ ଯୋଗାଯୋଗ ସ୍ଥାପନ, ଉତ୍ପାଦନ କ୍ଷମତା ବୃଦ୍ଧି ଏବଂ ଶିଳ୍ପଭିତ୍ତିକ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ଆଶା ରଖିଛନ୍ତି।

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ କହିବା ଅନୁସାରେ, ଓଡ଼ିଶାର ଶକ୍ତିଶାଳୀ ଶିଳ୍ପ ଭିତ୍ତିଭୂମି ସହ ରସାୟନ ଓ ପେଟ୍ରୋକେମିକାଲ୍ସ ଭଳି ଉଚ୍ଚ ସମ୍ଭାବନାଯୁକ୍ତ କ୍ଷେତ୍ରରେ ନିବେଶ ବଢ଼ାଇବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ପ୍ରମୁଖ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା ଏବଂ ରାଜ୍ୟର ନିବେଶ ସୁଯୋଗ ଉପସ୍ଥାପନ ମାଧ୍ୟମରେ ଭବିଷ୍ୟତର ଶିଳ୍ପ ଅଭିବୃଦ୍ଧି ପାଇଁ ନୂତନ ସହଯୋଗିତା ସୃଷ୍ଟି ହୋଇପାରିବ।

ଇଣ୍ଡିଆ କେମ୍ ୨୦୨୬ରେ ଭାଗନେଇ ଓଡ଼ିଶା ନିଜର ଶିଳ୍ପ ସମ୍ଭାବନାକୁ ଆଗକୁ ନେବା ସହ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ନିବେଶ ବୃଦ୍ଧି, ଅନୁଷଙ୍ଗିକ ଶିଳ୍ପର ବିକାଶ ଏବଂ ରୋଜଗାର ସୃଷ୍ଟି ଦିଗରେ ନୂଆ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛି।

You may also like

Leave a Comment