Home Cultureପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ସମ୍ପନ୍ନ ହେଲା ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା–୨୦୨୬

ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ସମ୍ପନ୍ନ ହେଲା ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା–୨୦୨୬

by Lokanath Panigrahi
0 comments

ଭୁବନେଶ୍ୱର, ୧୬ ଜୁଲାଇ ୨୦୨୬:
ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା–୨୦୨୬ ଆଜି ପୁରୀରେ ଭକ୍ତି, ଭାବ, ଉତ୍ସାହ ଓ ସୁଦୃଢ଼ ପ୍ରଶାସନିକ ସମନ୍ୱୟ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି।

ଦିନତମାମ ଲଗାଣ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ରାଜ୍ୟ, ଦେଶ ଏବଂ ବିଦେଶରୁ ପ୍ରାୟ ୮ରୁ ୯ ଲକ୍ଷ ଭକ୍ତ ପୁରୀରେ ସମାଗମ କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ।

ରଥ ଟଣା ସମେତ ରଥଯାତ୍ରା ସହ ଜଡିତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ରଥ ନିକଟକୁ ଆସି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ରଥଯାତ୍ରାର ସୁଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ପୂର୍ବରୁ ବ୍ୟାପକ ଓ ବହୁସ୍ତରୀୟ ପ୍ରସ୍ତୁତି କରିଥିଲେ। ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ଓଡ୍ରାଫ୍, ଏନ୍‌ଡିଆରଏଫ୍, ପରିବହନ, ପୌର ପ୍ରଶାସନ, ଜନସ୍ୱାସ୍ଥ୍ୟ, ଶକ୍ତି ଓ ଅନ୍ୟାନ୍ୟ ବିଭାଗର ସମନ୍ୱୟରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

୨୪ ଘଣ୍ଟିଆ ପର୍ଯ୍ୟବେକ୍ଷଣ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ସିସିଟିଭି ନିରୀକ୍ଷଣ, ସାର୍ବଜନୀନ ଘୋଷଣା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ ଜରୁରୀକାଳୀନ ଚିକିତ୍ସା ସେବା ମାଧ୍ୟମରେ ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରାଯାଇଥିଲା।

ଭକ୍ତଙ୍କ ବିପୁଳ ସମାଗମ ଓ ଲଗାଣ ବର୍ଷା ଯୋଗୁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ନଜରକୁ ଆସିଥିଲା। ଏହି ସମୟରେ ୭ ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଜଣେ ପୁରୁଷ ଭକ୍ତଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୃଥକ ଘଟଣାରେ ଅନ୍ୟ ଜଣେ ଭକ୍ତଙ୍କର ହୃଦଘାତ ଯୋଗୁ ମୃତ୍ୟୁ ଘଟିଛି। ବର୍ଷା ଯୋଗୁ ଅସୁସ୍ଥ ହୋଇଥିବା ଅନ୍ୟ ଭକ୍ତମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା।

ସମଗ୍ର ଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁପରିଚାଳିତ ଭାବେ ସମ୍ପନ୍ନ ହୋଇଛି। କୌଣସି ଦଳାଚକଟା ଘଟଣା ଘଟିନାହିଁ କିମ୍ବା ଭିଡ଼ ପରିଚାଳନାରେ କୌଣସି ବାଧା ସୃଷ୍ଟି ହୋଇନାହିଁ। ପ୍ରଶାସନ, ସୁରକ୍ଷା ଏଜେନ୍ସି, ସେବାୟତ ଓ ସ୍ୱେଚ୍ଛାସେବୀମାନଙ୍କ ସମନ୍ୱିତ ପ୍ରୟାସରେ ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରଥଯାତ୍ରାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ, ସୁରକ୍ଷାକର୍ମୀ, ସ୍ୱେଚ୍ଛାସେବୀ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ହୃଦୟର ସହ କୃତଜ୍ଞତା ଜଣାଇଛନ୍ତି। ସେହିପରି ଲକ୍ଷ ଲକ୍ଷ ଭକ୍ତଙ୍କୁ ସେମାନଙ୍କର ଧୈର୍ଯ୍ୟ, ଶୃଙ୍ଖଳା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ନିରାପତ୍ତା, ସୁବିଧା ଓ ସୁଚାରୁ ସେବା ଯୋଗାଣ ପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ, ଜନସେବାର ସୁଦୃଢ଼ୀକରଣ ଏବଂ ନିରନ୍ତର ପ୍ରଶାସନିକ ସମନ୍ୱୟ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବ।

You may also like

Leave a Comment