Home Odishaଲଘୁଚାପ ପ୍ରଭାବରେ ରାଜ୍ୟରେ ମୂଷଳଧାରା ବର୍ଷା; ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଲଘୁଚାପ ପ୍ରଭାବରେ ରାଜ୍ୟରେ ମୂଷଳଧାରା ବର୍ଷା; ୫ ଜିଲ୍ଲାକୁ ରେଡ୍ ଆଲର୍ଟ

by Lokanath Panigrahi
0 comments

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି। ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ବରଗଡ଼ ଜିଲ୍ଲାର ସୋହେଲାରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗଞ୍ଜାମରେ ୧୪୫.୪ ମିଲିମିଟର, ବରଗଡ଼ର ବରପାଲିରେ ୧୪୫ ମିଲିମିଟର, ଛତ୍ରପୁରରେ ୧୩୪ ମିଲିମିଟର, ବିଜେପୁରରେ ୧୨୬ ମିଲିମିଟର, ବଲାଙ୍ଗୀରରେ ୧୨୨ ମିଲିମିଟର, ପୁରୁଷୋତ୍ତମପୁରରେ ୧୧୫.୬ ମିଲିମିଟର, ମହେନ୍ଦ୍ରଗିରିରେ ୧୧୦.୨ ମିଲିମିଟର ଏବଂ ଗୋପାଳପୁରରେ ୧୦୬.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଏପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଭୀଷଣରୁ ଅତିଭୀଷଣ ବର୍ଷା ହେବାର ଆଶଙ୍କା ରହିଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପକ୍ଷରେ ରାଜ୍ୟର ଅବଶିଷ୍ଟ ୧୭ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ, ପାହାଡ଼ିଆ ରାସ୍ତା ଏବଂ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

You may also like

Leave a Comment