ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ ପ୍ରସ୍ତୁତି ଜୋରଦାର ହୋଇଛି। ଅକ୍ଟୋବର ୨୮ରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ବଢ଼ାଯାଇଛି। ଗଞ୍ଜାମ ସମେତ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ଏଥିସହ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କରାଯାଇଛି।
ବାତ୍ୟା ଏବଂ ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଭଞ୍ଜନଗର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଆବଶ୍ୟକ ହେଉଥିବା ଯନ୍ତ୍ରପାତିଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଛୁଟିରେ ଥିବା କର୍ମଚାରୀମାନେ ମଧ୍ୟ ଡ୍ୟୁଟିକୁ ଫେରିଥିବାରୁ ସମସ୍ତେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।
ବନ୍ୟାରେ ଫସିଲେ ଉଦ୍ଧାର କରିବ ଅଗ୍ନିଶମ ଟିମ୍
ଅଗ୍ନିଶମ ଅଧିକାରୀ ଚକ୍ରଧର କହଁର କହିଛନ୍ତି ଯେ, ବନ୍ୟା, ଗଛ ଉପୁଡ଼ି ପଡ଼ିବା ଏବଂ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି।
ପ୍ରବଳ ବର୍ଷା ଯୋଗୁଁ ନଦୀ କିମ୍ବା ନାଳରେ ପାଣି ବଢ଼ିବା ପରେ କେହି ଭାସିଗଲେ, ତାଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗାର ବ୍ୟବସ୍ଥା ରହିଛି। ସେହିପରି ପ୍ରବଳ ପବନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ, ତାହାକୁ କାଟି ହଟାଇବା ପାଇଁ କଟର ଓ ପାୱାର ସ’ ଭଳି ଯନ୍ତ୍ର ବ୍ୟବହାର କରାଯିବ।
ଭୂସ୍ଖଳନ ଯୋଗୁଁ ଭଗ୍ନାବଶେଷ ତଳେ କେହି ଫସି ରହିଲେ, ତାଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସ୍ପ୍ରେଡର୍ ଭଳି ଉଦ୍ଧାର ଉପକରଣ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ରାସ୍ତାରୁ ଗଛ ହଟାଇବାକୁ ପାୱାର ସ’
ବାତ୍ୟା ସମୟରେ ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିବାର ଆଶଙ୍କା ରହିଛି। ଏପରି ହେଲେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ଏଥିପାଇଁ ଗଛ କାଟି ରାସ୍ତା ସଫା କରିବାକୁ ଅଗ୍ନିଶମ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି।
ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁସାରେ, ସମସ୍ତ କର୍ମଚାରୀ ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ତାଲିମପ୍ରାପ୍ତ। ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ମୃତାହତଙ୍କ ସଂଖ୍ୟା ଶୂନ ରଖିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଉଦ୍ଧାର କାର୍ଯ୍ୟ ସମୟରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯିବ।
ଅନ୍ୟ ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ, ସମସ୍ତ କର୍ମଚାରୀ ଡ୍ୟୁଟିରେ ଉପସ୍ଥିତ ଅଛନ୍ତି। ଛୁଟିରେ ଯାଇଥିବା କର୍ମଚାରୀମାନେ ମଧ୍ୟ ସତର୍କତା ଜାରି ହେବା ପରେ ଡ୍ୟୁଟିକୁ ଫେରିଛନ୍ତି। ଆବଶ୍ୟକ ପଡ଼ିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ।
ପ୍ରବଳ ବର୍ଷା, ପବନ ଏବଂ ବନ୍ୟା ଯୋଗୁଁ କୌଣସି ଅଘଟଣ ଘଟିଲେ ତାହାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଛି। ବାତ୍ୟାର ପ୍ରଭାବ ଏବଂ ପାଣିପାଗ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ।
