ଭୁବନେଶ୍ୱର: ରାଜ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଦୁଇଟି ଅତ୍ୟାଧୁନିକ ପ୍ରଶାସନିକ ଭବନ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରସ୍ତାବିତ ନୂତନ ରାଜସ୍ୱ ଭବନ, ବିପର୍ଯ୍ୟୟ ପରିଚାଳନା ଭବନ, ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ର ନୂତନ ପ୍ରେକ୍ଷାଳୟ ଓ ଭୁବନେଶ୍ୱରରେ ସ୍ପେଶାଲ୍ ସର୍କିଟ୍ ହାଉସ୍ ନିର୍ମାଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ବୈଠକରେ OBCC ଓ ନିର୍ମାଣ ବିଭାଗ ପକ୍ଷରୁ ଭବନଗୁଡ଼ିକର ପ୍ରସ୍ତାବିତ ଡିଜାଇନ୍ ଏବଂ ରୂପରେଖ ଉପସ୍ଥାପନ କରାଯାଇଥିଲା। ମନ୍ତ୍ରୀ କହିଥିଲେ, ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିତ୍ତିଭୂମି ଅଧିକ ସୁଦୃଢ଼ ହେବ ଏବଂ ସୁଶାସନକୁ ଆହୁରି ଗତି ମିଳିବ।
ଦଶ ମହଲା ବିଶିଷ୍ଟ ହେବ ନୂଆ ରାଜସ୍ୱ ଭବନ
କଳ୍ପନା ଛକ ନିକଟରେ ପ୍ରସ୍ତାବିତ ନୂତନ ରାଜସ୍ୱ ଭବନର ନିର୍ମାଣ ଖୁବ୍ଶୀଘ୍ର ଆରମ୍ଭ ହେବ। ପ୍ରାୟ ଦଶ ମହଲା ବିଶିଷ୍ଟ ଏହି ଭବନରେ ବୋର୍ଡ ଅଫ୍ ରେଭେନ୍ୟୁର କ୍ୟାମ୍ପ କୋର୍ଟ, ବିଭିନ୍ନ ରାଜସ୍ୱ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟ, ସମ୍ମିଳନୀ କକ୍ଷ, ପ୍ରେକ୍ଷାଳୟ ଓ ଆଧୁନିକ କାର୍ଯ୍ୟାଳୟ ବ୍ୟବସ୍ଥା ରହିବ। ଏହି ପ୍ରକଳ୍ପକୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗୋଟିଏ ଛାତ ତଳେ ବିପର୍ଯ୍ୟୟ ପରିଚାଳନାର ସମସ୍ତ କାର୍ଯ୍ୟାଳୟ
ପ୍ରସ୍ତାବିତ ବିପର୍ଯ୍ୟୟ ପରିଚାଳନା ଭବନକୁ ରାଜ୍ୟର ଦୁର୍ଯୋଗ ପରିଚାଳନାର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରାଯିବ। ଏହି ଭବନରେ ସ୍ୱତନ୍ତ୍ର ସହାୟତା ଆୟୁକ୍ତ (SRC), OSDMA, ରାଜ୍ୟ ଜରୁରିକାଳୀନ ପରିଚାଳନା କେନ୍ଦ୍ର (SEOC), ODRAF ସମେତ ବିପର୍ଯ୍ୟୟ ପରିଚାଳନା ସହ ଜଡିତ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ରହିବ। ଏହା ସହ ଶକ୍ତି ବିଭାଗ, ନିର୍ମାଣ ବିଭାଗ, NDMA, NDRF ଓ ଅନ୍ୟାନ୍ୟ ସହଯୋଗୀ ସଂସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରଖାଯିବ।
ଭବନଟି ସମ୍ପୂର୍ଣ୍ଣ ଭାବେ ଭୂକମ୍ପ ଓ ବିପର୍ଯ୍ୟୟ ପ୍ରତିରୋଧୀ ମାନଦଣ୍ଡରେ ନିର୍ମାଣ ହେବା ସହ ଏଥିରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍, ପୂର୍ବ ସତର୍କ ସୂଚନା ପ୍ରଣାଳୀ ଓ ଆଧୁନିକ ବୈଷୟିକ ଉପକରଣ ସ୍ଥାପନ କରାଯିବ। ଆସନ୍ତା ଅଗଷ୍ଟ ମାସରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଅଠର ମାସ ମଧ୍ୟରେ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ମିଡିଆ ସେଣ୍ଟର
ବିପର୍ଯ୍ୟୟ ସମୟରେ ସଠିକ୍ ଓ ଦ୍ରୁତ ସୂଚନା ପ୍ରସାରଣକୁ ଗୁରୁତ୍ୱ ଦେଇ ନୂତନ ଭବନରେ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ମିଡିଆ ସେଣ୍ଟର ନିର୍ମାଣ କରାଯିବ। ଏଠାରେ ଇଣ୍ଟରନେଟ୍, ବ୍ରିଫିଂ ହଲ୍, ୱର୍କଷ୍ଟେସନ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ରହିବ, ଯାହା ଜରୁରୀ ପରିସ୍ଥିତିରେ ଗଣମାଧ୍ୟମର କାର୍ଯ୍ୟକୁ ସହଜ କରିବ।
ROTI ଓ ସ୍ପେଶାଲ୍ ସର୍କିଟ୍ ହାଉସ୍ର ମଧ୍ୟ ହେବ ଉନ୍ନତି
ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ରେ ଅନ୍ତର୍ଜାତୀୟ ମାନର ପ୍ରେକ୍ଷାଳୟ, ନୂତନ ପ୍ରଶାସନିକ ଭବନ, ଡିଜିଟାଲ୍ ଲାଇବ୍ରେରୀ ଓ GIS ଲ୍ୟାବ୍ ସ୍ଥାପନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ଭୁବନେଶ୍ୱରରେ ନୂତନ ସ୍ପେଶାଲ୍ ସର୍କିଟ୍ ହାଉସ୍ ନିର୍ମାଣ ପାଇଁ ଶୀଘ୍ର ଉପଯୁକ୍ତ ସ୍ଥାନ ଚିହ୍ନଟ କରି କାମ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜସ୍ୱ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଅଧିକ ସମନ୍ୱିତ, ଆଧୁନିକ ଓ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।
