ନୂଆଦିଲ୍ଲୀ: ଭାରତୀୟ ପାରା ଆଥଲେଟିକ୍ସ ଜଗତରୁ ଆସିଛି ଦୁଃଖଦ ଖବର। ଏସୀୟ ପାରା କ୍ରୀଡ଼ାରେ ଦେଶ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଯାଦବଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟତା ଆସିବ।
ଏଫ୍୫୫ ବର୍ଗରେ ପ୍ରତିଯୋଗିତା କରୁଥିବା ନୀରଜ ଡୋପିଂ କାରଣରୁ ନିଲମ୍ବିତ ହୋଇଥିବାରୁ ନିକଟରେ ଶେଷ ହୋଇଥିବା ଏସୀୟ ପାରା କ୍ରୀଡ଼ାରେ ଭାଗ ନେଇପାରି ନଥିଲେ। ଏହାକୁ ନେଇ ସେ ମାନସିକ ଚାପରେ ଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କ ମୃତ୍ୟୁ ସହ ଏହାର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ଏଯାଏଁ ନିଶ୍ଚିତ ହୋଇନାହିଁ।
ଏସୀୟ ପାରା କ୍ରୀଡ଼ାରେ ଥିଲେ ସଫଳ
ନୀରଜ ଯାଦବ ନିଜ କ୍ରୀଡ଼ା ଦକ୍ଷତା ବଳରେ ଦେଶ ପାଇଁ ଗୌରବ ଆଣିଥିଲେ। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ ପାରା କ୍ରୀଡ଼ାରେ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ୨୦୨୩ରେ ଚୀନ୍ର ହାଙ୍ଗଝୋଉରେ ଆୟୋଜିତ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋ’ ଓ ଡିସ୍କସ୍ ଥ୍ରୋ’ରେ ସ୍ୱର୍ଣ୍ଣ ହାସଲ କରିଥିଲେ।
ନୀରଜଙ୍କ ଦେହାନ୍ତରେ ପାରା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାକୁ ନେଇ ଭାରତୀୟ ପାରା ଆଥଲେଟିକ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ଏସ୍. ସତ୍ୟନାରାୟଣ ଦୁଃଖ ପ୍ରକାଶ କରିଛନ୍ତି। କ୍ରୀଡ଼ା ଜୀବନରେ ସଫଳତା ସହ ବିଫଳତା ଓ କଠିନ ସମୟ ମଧ୍ୟ ଆସିଥାଏ, ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ଜରୁରୀ ବୋଲି ସେ କହିଛନ୍ତି।
ନୀରଜଙ୍କ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକାରିକ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
