ବିମାନ ଭିତରେ ସ୍ୱତନ୍ତ୍ର ଢଙ୍ଗରେ ପାଳିଲେ ପର୍ବ, ସୋସିଆଲ ମିଡିଆରେ ଭାଇରାଲ ହେଲା ଦମ୍ପତିଙ୍କ ଭିଡିଓ। ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ତାଙ୍କ ସ୍ୱାମୀ ରାଘବ ଚଢ଼ାଙ୍କ କରୱା ଚୌଥ ପାଳନ ଏଥର ଖୁବ୍ ଚର୍ଚ୍ଚାରେ ରହିଛି। ପାରମ୍ପରିକ ଭାବେ ଘରେ ଏହି ପର୍ବ ପାଳନ କରିବା ପରିବର୍ତ୍ତେ ଆକାଶରେ ଉଡ଼ୁଥିବା ବିମାନ ଭିତରେ ଉଭୟ ଏହାକୁ ପାଳନ କରିଛନ୍ତି। ପ୍ରାୟ ୩୫ ହଜାର ଫୁଟ୍ ଉଚ୍ଚତାରେ ଏହି ଦମ୍ପତିଙ୍କ ନିଆରା ଉତ୍ସବ ପାଳନର ଦୃଶ୍ୟ ଏବେ ଚର୍ଚ୍ଚାରେ।
ସୂଚନା ଅନୁଯାୟୀ, ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ଦୁହେଁ ଠିକ୍ ସମୟରେ ଘରେ ପହଞ୍ଚିପାରି ନଥିଲେ। ତେଣୁ ଯାତ୍ରା ସମୟରେ ହିଁ କରୱା ଚୌଥର ପରମ୍ପରା ପାଳନ କରିବାକୁ ସ୍ଥିର କରିଥିଲେ। ବିମାନ ଭିତରେ ପୂଜାବିଧି ସମ୍ପନ୍ନ କରିବା ପରେ ପରିଣୀତି ନିଜର ଉପବାସ ଭାଙ୍ଗିଥିଲେ।
ଏହି ସ୍ମରଣୀୟ ମୁହୂର୍ତ୍ତର ଭିଡିଓକୁ ପରିଣୀତି ନିଜ ଇନଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ସେଠାରେ ସେ ରାଘବଙ୍କ ପ୍ରତି ନିଜର ଭଲପାଇବା ଓ କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି। ଜୀବନର ଅନେକ ସ୍ୱପ୍ନ ପୂରଣ କରିବାରେ ରାଘବଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି।
ବିମାନ ଭିତରେ ଥାଇ ମଧ୍ୟ ଚନ୍ଦ୍ର ଦର୍ଶନ ଓ ପୂଜାର୍ଚ୍ଚନାର ପରମ୍ପରା ପାଳନ କରିବା ଏହି ଉତ୍ସବକୁ ଆହୁରି ଖାସ୍ କରିଦେଇଥିଲା। ପରିଣୀତିଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଅନନ୍ୟ କରୱା ଚୌଥ ପାଳନକୁ ପ୍ରଶଂସା କରୁଛନ୍ତି।
