Home » Blog » ପଞ୍ଜାବ ରାଜନୀତିରେ ବଡ଼ ହଲଚଲ, ପୁଣି ଏକାଠି ହେବେ ବିଜେପି ଓ ଅକାଳୀ ଦଳ!

ପଞ୍ଜାବ ରାଜନୀତିରେ ବଡ଼ ହଲଚଲ, ପୁଣି ଏକାଠି ହେବେ ବିଜେପି ଓ ଅକାଳୀ ଦଳ!

by Akshay Maharana
0 comments

ପଞ୍ଜାବ ରାଜନୀତିରେ ଆସିପାରେ ବଡ଼ ପରିବର୍ତ୍ତନ। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଏକାଠି ହୋଇପାରନ୍ତି ଦୁଇ ପୁରୁଣା ରାଜନୈତିକ ସହଯୋଗୀ ବିଜେପି ଓ ଶିରୋମଣି ଅକାଳୀ ଦଳ।ଦୀର୍ଘଦିନ ଧରି ଅଲଗା ରହିଥିବା ଏହି ଦୁଇ ଦଳ ମଧ୍ୟରେ ପୁଣି ମେଣ୍ଟ ଗଠନ ନେଇ ଆଲୋଚନା ଜୋର ଧରିଛି। ସୂତ୍ର ଅନୁସାରେ, ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

ପଞ୍ଜାବର ମୋଟ ୧୧୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏଥର ପୂର୍ବାପେକ୍ଷା ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ରିପୋର୍ଟ ଅନୁସାରେ, ଦଳ ୪୦ରୁ ୫୦ଟି ଆସନ ପାଇଁ ଦାବି କରିପାରେ। ତେବେ ଆସନ ବଣ୍ଟନ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ।

ପୂର୍ବରୁ ମେଣ୍ଟରେ ଥିବା ସମୟରେ ବିଜେପି ମାତ୍ର ୨୩ଟି ଆସନରେ ନିର୍ବାଚନ ଲଢ଼ୁଥିଲା। କିନ୍ତୁ ଏଥର ରାଜନୈତିକ ସମୀକରଣ ବଦଳିବା ସହ ମେଣ୍ଟରେ ନିଜର ଭାଗ ବଢ଼ାଇବାକୁ ଚାହୁଁଛି ବିଜେପି।

ଅନ୍ୟପଟେ, ସରକାର ଗଠନ ହେଲେ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ, ତାହା ମଧ୍ୟ ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ଚର୍ଚ୍ଚା ହେଉଛି, ଦୀପାବଳି ପରେ ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ବଡ଼ ଘୋଷଣା ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଭଟିଣ୍ଡାରେ ଏକ ବିଶାଳ ରାଲି କରିପାରନ୍ତି। ଯେଉଁଠାରେ ଉଭୟ ଦଳର ବରିଷ୍ଠ ନେତା ଗୋଟିଏ ମଞ୍ଚରେ ନଜର ଆସିପାରନ୍ତି।

ଏହାରି ମଧ୍ୟରେ ୨୦୨୭ରେ ପଞ୍ଜାବରେ ଏନ୍‌ଡିଏ ସରକାର ଗଠନ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହଙ୍କ ଦାବି ରାଜନୈତିକ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।

ଏବେ ସମସ୍ତଙ୍କ ନଜର, ପୁଣି ଏକାଠି ହେବେ କି ବିଜେପି ଓ ଅକାଳୀ ଦଳ? ଆଉ ୨୦୨୭ରେ ବଦଳିବ କି ପଞ୍ଜାବର ରାଜନୈତିକ ସମୀକରଣ?

You may also like

Leave a Comment