Home » Blog » ଟ୍ରମ୍ପ ପ୍ରଶାସନରେ ବଡ଼ ହଲଚଲ! ଇସ୍ତଫା ଦେବେ କି ବରିଷ୍ଠ ଅଧିକାରୀ?

ଟ୍ରମ୍ପ ପ୍ରଶାସନରେ ବଡ଼ ହଲଚଲ! ଇସ୍ତଫା ଦେବେ କି ବରିଷ୍ଠ ଅଧିକାରୀ?

by Akshay Maharana
0 comments

ଆମେରିକା ରାଜନୀତିରେ ବଡ଼ ହଲଚଲ। ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିବା ପରେ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ବଡ଼ଧରଣର ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ହ୍ୱାଇଟ୍ ହାଉସ୍‌ରେ ନୂଆ ଟିମ୍ ଗଠନ ହେବ କି? କ୍ୟାବିନେଟ୍‌ରୁ ବିଦା ହେବେ କି ଏକାଧିକ ବରିଷ୍ଠ ସଦସ୍ୟ? ଏଭଳି ଅନେକ ପ୍ରଶ୍ନକୁ ନେଇ ଆମେରିକୀୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି।ନଭେମ୍ବର ୩ରେ ଅନୁଷ୍ଠିତ ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି କଂଗ୍ରେସର ଉଭୟ ସଦନରେ ବହୁମତ ହାସଲ କରିଛି। ଏହି ଫଳାଫଳ ପରେ ଟ୍ରମ୍ପଙ୍କ ଆଗାମୀ ରାଜନୈତିକ ରଣନୀତି ଓ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ିଛି।

ବିଶେଷକରି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ନେଇ ଅଧିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ରୁବିଓ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ରାଜନୈତିକ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।

୨୦୨୮ରେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ମାର୍କୋ ରୁବିଓଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଇରାନ ଯୁଦ୍ଧ ଓ ଟ୍ରମ୍ପ ପ୍ରଶାସନର କେତେକ ବିବାଦୀୟ ନୀତିରୁ ନିଜକୁ ଦୂରେଇ ରଖିବା ରୁବିଓଙ୍କ ଭବିଷ୍ୟତ ରାଜନୈତିକ ଯୋଜନାର ଅଂଶ ହୋଇପାରେ ବୋଲି କିଛି ରିପୋର୍ଟରେ ଆକଳନ କରାଯାଇଛି।

କେବଳ ରୁବିଓ ନୁହନ୍ତି, ଟ୍ରମ୍ପ କ୍ୟାବିନେଟ୍‌ର ପ୍ରାୟ ପାଞ୍ଚଜଣ ସଦସ୍ୟ ପଦ ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରୀରେ ନୂଆ କଂଗ୍ରେସ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଏହି ପରିବର୍ତ୍ତନ ହୋଇପାରେ ବୋଲି କେତେକ ଅଜ୍ଞାତ ସୂତ୍ରକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି। ତେବେ କେଉଁମାନେ ପଦ ଛାଡ଼ିବେ, ସେନେଇ କୌଣସି ନିଶ୍ଚିତ ତଥ୍ୟ ସାମ୍ନାକୁ ଆସିନାହିଁ।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଏବଂ ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସଙ୍କ ଭବିଷ୍ୟତକୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନୀ ଫଳାଫଳ ପରେ ପ୍ରଶାସନରେ ପରିବର୍ତ୍ତନ ଆସିପାରେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ଏନେଇ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ଘୋଷଣା ହୋଇନାହିଁ।

ଇରାନ ଯୁଦ୍ଧ, ଶୁଳ୍କ ନୀତି, ଦରଦାମ ବୃଦ୍ଧି ଏବଂ ସାଧାରଣ ଲୋକଙ୍କ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚ ଭଳି ପ୍ରସଙ୍ଗ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ଟ୍ରମ୍ପ ନିଜର ନୀତି ଓ ପ୍ରଶାସନିକ ଟିମ୍‌ରେ କିଛି ପରିବର୍ତ୍ତନ କରିବେ କି ନାହିଁ, ତାହା ଉପରେ ନଜର ରହିଛି।

ତେବେ ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ଆସିଛି ଆଉ ଏକ ବଡ଼ ସ୍ପଷ୍ଟୀକରଣ। ମାର୍କୋ ରୁବିଓଙ୍କ ଇସ୍ତଫା ସମ୍ପର୍କିତ ଖବରକୁ ହ୍ୱାଇଟ୍ ହାଉସ୍ ଓ ଆମେରିକାର ବୈଦେଶିକ ବିଭାଗ ଖଣ୍ଡନ କରିଛନ୍ତି। ଏପରିକି ରୁବିଓ ନିଜେ ମଧ୍ୟ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ତାଙ୍କ ସହ କାମ କରିବା ନିଜର ଯୋଜନା ଥିବା ସ୍ପଷ୍ଟ କରିଛନ୍ତି।

ଫଳରେ ଟ୍ରମ୍ପ ପ୍ରଶାସନରେ ପ୍ରକୃତରେ ବଡ଼ ଅଦଳବଦଳ ହେବ ନା ଏହା କେବଳ ରାଜନୈତିକ କଳ୍ପନାଜଳ୍ପନା ହୋଇ ରହିଯିବ, ତାହା ଏବେ ବି ଅନିଶ୍ଚିତ। ଆଗାମୀ ଦିନରେ ଡୋନାଲ୍ଡ ଟ୍ରମ୍ପ କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

You may also like

Leave a Comment