Home » Blog » ଆଜି ସମ୍ବିଧାନ ଦିବସ, ଗଣତନ୍ତ୍ରର ମୂଳଦୁଆକୁ ମନେ ପକାଉଛି ସାରା ଦେଶ!

ଆଜି ସମ୍ବିଧାନ ଦିବସ, ଗଣତନ୍ତ୍ରର ମୂଳଦୁଆକୁ ମନେ ପକାଉଛି ସାରା ଦେଶ!

by Archana Singh
0 comments

ଆଜି ସମ୍ବିଧାନ ଦିବସ। ଭାରତୀୟ ଗଣତନ୍ତ୍ରର ଇତିହାସରେ ଆଜିର ଦିନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ବାର୍ତ୍ତା ଦେଉଥିବା ଭାରତୀୟ ସମ୍ବିଧାନକୁ ସ୍ମରଣ କରୁଛି ସାରା ଦେଶ। ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ। ଏହି ଦିନକୁ ‘ରାଷ୍ଟ୍ରୀୟ ଆଇନ ଦିବସ’ ଭାବେ ମଧ୍ୟ ଜଣାଯାଏ।

୧୯୪୯ ମସିହା ନଭେମ୍ବର ୨୬। ଆଜିର ଦିନରେ ଭାରତର ସମ୍ବିଧାନ ସଭା ଆନୁଷ୍ଠାନିକ ଭାବେ ଦେଶର ସମ୍ବିଧାନକୁ ଗ୍ରହଣ କରିଥିଲା। ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ସମ୍ବିଧାନ। ଏହା ସହ ଭାରତ ଏକ ଗଣରାଜ୍ୟରେ ପରିଣତ ହୋଇଥିଲା।

ତେବେ ଏତେ ବିଶାଳ ସମ୍ବିଧାନ ପ୍ରସ୍ତୁତ କରିବା ଏତେ ସହଜ ନଥିଲା। ଏଥିପାଇଁ ସମ୍ବିଧାନ ସଭାକୁ ଲାଗିଥିଲା ୨ ବର୍ଷ, ୧୧ ମାସ ଓ ୧୮ ଦିନ। ବିଭିନ୍ନ ଦେଶର ସମ୍ବିଧାନକୁ ଅଧ୍ୟୟନ କରିବା ସହ ଭାରତର ବିବିଧତା, ସାମାଜିକ ବ୍ୟବସ୍ଥା ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିଲା ଏହି ସମ୍ବିଧାନ।

ସମ୍ବିଧାନ ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଡକ୍ଟର ବି.ଆର୍. ଆମ୍ବେଦକର। ସମ୍ବିଧାନ ଖସଡ଼ା କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ସେଥିପାଇଁ ତାଙ୍କୁ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ବୋଲି କୁହାଯାଏ।

୨୦୧୫ ମସିହାରେ ବାବାସାହେବ ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାର ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ପ୍ରତିବର୍ଷ ଆନୁଷ୍ଠାନିକ ଭାବେ ପାଳିତ ହେଉଛି ସମ୍ବିଧାନ ଦିବସ।

ଭାରତୀୟ ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଆଧାର। ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଓ ସମ୍ମାନ ପ୍ରଦାନ କରିବା ଏହାର ଅନ୍ୟତମ ମୂଳ ଲକ୍ଷ୍ୟ। ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ସହ ଦେଶ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଅବଗତ କରାଏ ସମ୍ବିଧାନ।

ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ପରିଚୟ। ଆଉ ଏହି ଏକତାକୁ ସୁଦୃଢ଼ କରିବାରେ ସମ୍ବିଧାନର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା।

ତେବେ ସମ୍ବିଧାନ ଦିବସ କେବଳ ଏକ ଉତ୍ସବ ନୁହେଁ। ଏହା ନିଜର ଅଧିକାରକୁ ଜାଣିବା, କର୍ତ୍ତବ୍ୟକୁ ପାଳନ କରିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାର ସଂକଳ୍ପ ନେବାର ଦିନ।

You may also like

Leave a Comment