ଗଞ୍ଜାମକୁ ସର୍ବାଧିକ ୩୦୬.୫୪ କୋଟି, ମରାମତି ହେବ ରାସ୍ତା, ପୋଲ, ବିଦ୍ୟାଳୟ ଓ ପାନୀୟ ଜଳ ପ୍ରକଳ୍ପ
ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶାର ୬ଟି ଜିଲ୍ଲାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ଓ ପୁନର୍ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ମୋଟ ୪୮୨ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ଏହି ଅର୍ଥ ଯୋଗାଇ ଦିଆଯାଇଛି।
ବାତ୍ୟା ଓ ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ଗ୍ରାମାଞ୍ଚଳରେ ରାସ୍ତାଘାଟ, ପୋଲ, ଶିକ୍ଷାନୁଷ୍ଠାନ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି।
ସରକାରୀ ସୂଚନା ଅନୁଯାୟୀ, ସର୍ବାଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲା ପାଇଁ ୩୦୬ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଗଜପତି ପାଇଁ ୧୦୯ କୋଟି ୯୭ ଲକ୍ଷ, କନ୍ଧମାଳ ପାଇଁ ୪୨ କୋଟି ୫୭ ଲକ୍ଷ, ନୂଆପଡ଼ା ପାଇଁ ୧୫ କୋଟି ୮ ଲକ୍ଷ ଏବଂ ନବରଙ୍ଗପୁର ପାଇଁ ୭ କୋଟି ୭୮ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ରାୟଗଡ଼ା ଜିଲ୍ଲା ପାଇଁ ୯୭ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛି।
ବାତ୍ୟା ଓ ବନ୍ୟାରେ ନଷ୍ଟ ହୋଇଥିବା ବିଦ୍ୟାଳୟ କୋଠା, ଅଙ୍ଗନବାଡ଼ି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, କମ୍ୟୁନିଟି ହଲ୍ ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକର ମରାମତି କରାଯିବ। ଏଥିସହ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ଅଧୀନରେ ଥିବା କ୍ଷତିଗ୍ରସ୍ତ ରାସ୍ତା, ପୋଲ ଏବଂ କଲଭର୍ଟର ପୁନର୍ନିର୍ମାଣ ପାଇଁ ମଧ୍ୟ ଏହି ଅର୍ଥ ବ୍ୟୟ ହେବ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ନଷ୍ଟ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଓ ନଳକୂପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରାଥମିକତା ଦିଆଯିବ। ଏହାସହ ଗ୍ରାମାଞ୍ଚଳରେ ଯାତାୟାତ ସୁବିଧାକୁ ସ୍ୱାଭାବିକ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏହି ଆର୍ଥିକ ମଞ୍ଜୁରି ଦ୍ୱାରା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଲୋକଙ୍କ ମୌଳିକ ସୁବିଧା ପୁନଃସ୍ଥାପନ ହୋଇପାରିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।
