Home » Blog » ବାଲିଯାତ୍ରା ପାଇଁ କଟକରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରାସ୍ତାରେ ଗାଡ଼ି ଚଳାଚଳ ମନା

ବାଲିଯାତ୍ରା ପାଇଁ କଟକରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରାସ୍ତାରେ ଗାଡ଼ି ଚଳାଚଳ ମନା

by Sunita Jena
0 comments

କଟକ: ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି। ଏହି ମହାମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଆଖି ଆଗରେ ରଖି ଟ୍ରାଫିକ୍ ପରିଚାଳନାକୁ ନେଇ ସ୍ୱତନ୍ତ୍ର ଯୋଜନା କରିଛି କଟକ କମିସନରେଟ୍ ପୁଲିସ। ମେଳା ସମୟରେ ସହରରେ ଯେପରି ଟ୍ରାଫିକ୍ ଜାମ୍ ନହୁଏ ଏବଂ ଦର୍ଶକମାନେ ସୁବିଧାରେ ବାଲିଯାତ୍ରା ପଡ଼ିଆରେ ପହଞ୍ଚିପାରିବେ, ସେଥିପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।

ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ତେଣୁ ବାଲିଯାତ୍ରା ଯିବାକୁ ଯୋଜନା କରୁଥିବା ଲୋକେ ରାସ୍ତା କଟକଣା ଓ ପାର୍କିଂ ସ୍ଥାନ ବିଷୟରେ ଆଗୁଆ ଜାଣି ରଖିବା ଜରୁରୀ।

କେଉଁ ପଟୁ ଆସିଲେ କେଉଁଠି ରଖିବେ ଗାଡ଼ି?

ଭୁବନେଶ୍ୱର, ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଓ ଖାନନଗର ରିଂରୋଡ୍ ପଟୁ ଆସୁଥିବା ତିନି ଓ ଚାରିଚକିଆ ଯାନଗୁଡ଼ିକୁ ମର୍କତନଗର ସିଡିଏ-୧୧ ଛକ ଦେଇ ଚହଟା ଛକ ନିକଟସ୍ଥ ପାର୍କିଂ ସ୍ଥଳକୁ ଯିବାକୁ ପଡ଼ିବ। ସେଠାରେ ଗାଡ଼ି ରଖିବା ପରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ। ଏହି ଗାଡ଼ିଗୁଡ଼ିକ ବେଲଭ୍ୟୁ, ସତୀଚୌରା, ସେଲଟର ଛକ ଓ କନିକା ଛକ ରାସ୍ତା ଦେଇ ପଡ଼ିଆକୁ ଯାଇପାରିବେ ନାହିଁ।

ସେହିପରି ଆଠଗଡ଼ ଓ ବାଙ୍କୀ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ କଟକରେ ପ୍ରବେଶ କରିବେ। ଏହି ଗାଡ଼ିଗୁଡ଼ିକ ଚହଟା ଛକ, ଗୋରାକବର ପଡ଼ିଆ କିମ୍ବା ଖ୍ରୀଷ୍ଟିୟାନ ପଡ଼ିଆରେ ପାର୍କିଂ କରିବେ। ଅନ୍ୟପଟେ ସତୀଚୌରା ଦିଗରୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ସେଲଟର ଛକ ଓ କନିକା ଛକ ଦେଇ ଆସି ଦୟାଶ୍ରମ ସମ୍ମୁଖ ପଡ଼ିଆ, ଖ୍ରୀଷ୍ଟିୟାନ ପଡ଼ିଆ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ଗାଡ଼ି ରଖିପାରିବେ।

ଏହି ସ୍ଥାନଗୁଡ଼ିକରେ ରହିବ ପାର୍କିଂ ସୁବିଧା

ଦର୍ଶକଙ୍କ ଗାଡ଼ି ରଖିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ସ୍ଥାନ ଚିହ୍ନଟ କରାଯାଇଛି।

  • ଚହଟା ଛକରେ ଦୁଇ, ତିନି, ଚାରି ଓ ଛଅଚକିଆ ଯାନ ପାର୍କିଂ ହେବ।
  • ଗୋରାକବର ପଡ଼ିଆରେ ଦୁଇ, ତିନି ଓ ଚାରିଚକିଆ ଗାଡ଼ି ରଖିବା ବ୍ୟବସ୍ଥା ରହିଛି।
  • ଖ୍ରୀଷ୍ଟିୟାନ ପଡ଼ିଆରେ ଦୁଇ, ତିନି ଓ ଚାରିଚକିଆ ଯାନ ପାର୍କିଂ କରିହେବ।
  • ଦୟାଶ୍ରମ ସମ୍ମୁଖ ପଡ଼ିଆରେ କେବଳ ଦୁଇଚକିଆ ଯାନ ପାର୍କିଂ ହେବ।
  • ସିଲଭର ସିଟି ବୋଟିଂ କ୍ଲବ ନିକଟସ୍ଥ ତଳ ବାଲିଯାତ୍ରା ପଡ଼ିଆରେ ଦୁଇ, ତିନି ଓ ଚାରିଚକିଆ ଗାଡ଼ି ରଖିହେବ।
  • ମାତାମଠ ପାର୍କିଂ ସ୍ଥଳରେ ମଧ୍ୟ ତିନି ପ୍ରକାର ଯାନ ପାଇଁ ସୁବିଧା ରହିଛି।
  • ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖ ପଡ଼ିଆ ଓ ହାଡ଼ିଆ ପଠାରେ ଦୁଇ, ତିନି ଓ ଚାରିଚକିଆ ଯାନ ରଖାଯାଇପାରିବ।
  • ଉପର ବାଲିଯାତ୍ରା ପଡ଼ିଆର ବାରବାଟୀ ଫୁଡ୍ କୋର୍ଟ ପଛପଟେ ଦୁଇଚକିଆ ଗାଡ଼ି ପାର୍କିଂ ହେବ।
  • କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ପାର୍କିଂ ସ୍ଥଳରେ ମଧ୍ୟ ଦୁଇଚକିଆ ଗାଡ଼ି ରଖିବା ବ୍ୟବସ୍ଥା ରହିଛି।

ଏହି ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା

ଚଣ୍ଡୀ ଛକ ପଟୁ ଆସୁଥିବା ତିନି ଓ ଚାରିଚକିଆ ଯାନଗୁଡ଼ିକ କେମ୍ବ୍ରିଜ୍ ସ୍କୁଲ ଆଗକୁ ଯାଇପାରିବେ ନାହିଁ। ସେମାନେ କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ବା ଖ୍ରୀଷ୍ଟିୟାନ ପଡ଼ିଆରେ ପାର୍କିଂ କରିବେ। ଏହି ରାସ୍ତାରେ ଆସୁଥିବା ଦୁଇଚକିଆ ଗାଡ଼ିଗୁଡ଼ିକ କନଭେଣ୍ଟ ସ୍କୁଲ ଓ ପିଏଚ୍‌ଡି ଅଫିସ ଦେଇ ଦୟାଶ୍ରମ ସମ୍ମୁଖ ପଡ଼ିଆରେ ଗାଡ଼ି ରଖିପାରିବେ। ସମାଜ ଅଫିସ ଛକ ଓ କଟକ ପୁଲିସ ଲାଇନ ଛକ ପଟୁ ଆସୁଥିବା ତିନି ଓ ଚାରିଚକିଆ ଯାନ ନାରୀସେବା ସଦନ ରାସ୍ତା ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ। ଏହି ଯାନଗୁଡ଼ିକ ମିଶନ ରୋଡ୍, ଚଣ୍ଡୀ ଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ବା ଖ୍ରୀଷ୍ଟିୟାନ ପଡ଼ିଆରେ ପାର୍କିଂ କରିବେ।

ତେବେ ଏହି ଦୁଇ ରାସ୍ତାରୁ ଆସୁଥିବା ଦୁଇଚକିଆ ଯାନ ପାଇଁ ଭିନ୍ନ ବ୍ୟବସ୍ଥା ରହିଛି। ସେମାନେ ମଧୁସୂଦନ ଛକ ଦେଇ ଉପର ବାଲିଯାତ୍ରା ପଡ଼ିଆ ଓ ଫୁଡ୍ କୋର୍ଟ ପଛପଟେ ଥିବା ପାର୍କିଂ ସ୍ଥଳରେ ଗାଡ଼ି ରଖିପାରିବେ। ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବାରବାଟୀ ଷ୍ଟାଡିୟମ ପଛପଟେ ଥିବା କିଲ୍ଲା ଖାନା ରାସ୍ତା ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ।

ମାତାମଠ ଓ ଯୋବ୍ରା ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖ ପଡ଼ିଆ, ମାତାମଠ ନିକଟ, ହାଡ଼ିଆ ପଠା, ସିଲଭର ସିଟି ବୋଟିଂ କ୍ଲବ ନିକଟ ଓ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ରହିଛି। ସେହିପରି ର୍ଗିନାରି ହୋଟେଲ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଷ୍ଟାଡିୟମ ନିକଟସ୍ଥ ମଧୁସୂଦନ ପ୍ରତିମା ଛକ ଆଡ଼କୁ ଯାଇପାରିବେ ନାହିଁ।

ପାର୍କିଂ ଭର୍ତ୍ତି ହେଲେ କ’ଣ କରିବେ?

ଗୋରାକବର, ଖ୍ରୀଷ୍ଟିୟାନ ପଡ଼ିଆ ଓ କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ଥିବା ପାର୍କିଂ ସ୍ଥଳଗୁଡ଼ିକ ପୂର୍ଣ୍ଣ ହୋଇଗଲେ ଗାଡ଼ିଚାଳକମାନେ ଚହଟା ଛକ ନିକଟସ୍ଥ ପାର୍କିଂ ସ୍ଥଳକୁ ଯାଇ ଗାଡ଼ି ରଖିବେ। ଏହାଦ୍ୱାରା ରାସ୍ତା ଉପରେ ଅଯଥା ଗାଡ଼ି ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ।

ଜରୁରୀକାଳୀନ ଗାଡ଼ି ପାଇଁ କଟକଣା ନାହିଁ

ଟ୍ରାଫିକ୍ ନିୟମ ଲାଗୁ ହେଲେ ମଧ୍ୟ ପୁଲିସ, ଅଗ୍ନିଶମ ବିଭାଗ, ଅବକାରୀ ବିଭାଗ, ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ଏହି କଟକଣାରୁ ବାଦ୍ ପଡ଼ିବେ। ତେଣୁ ବାଲିଯାତ୍ରା ଯିବା ପୂର୍ବରୁ ନିଜ ଯାତ୍ରାପଥ ଓ ପାର୍କିଂ ସ୍ଥାନ ସମ୍ପର୍କରେ ଜାଣି ନିଅନ୍ତୁ। ଟ୍ରାଫିକ୍ ପୁଲିସଙ୍କ ନିର୍ଦ୍ଦେଶ ମାନିବା ସହ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରନ୍ତୁ। ଏହାଦ୍ୱାରା ନିଜ ଯାତ୍ରା ସହଜ ହେବା ସହ ଅନ୍ୟ ଦର୍ଶକଙ୍କ ଯାତାୟାତ ମଧ୍ୟ ସୁଗମ ହୋଇପାରିବ।

You may also like

Leave a Comment